Unknown

 

 

 

 

 

 

 

 

 

 

ସମୁଦ୍ର ସ୍ନାନ

ଗୁରୁପ୍ରସାଦ ମହାନ୍ତି

 

ସୂଚୀପତ୍ର

 

୧.

ଚମ୍ପାଫୁଲ

୨.

କପୋତ କପୋତୀ

୩.

ଗୋବର ଗଣେଶ

୪.

ପ୍ରିୟ ବାନ୍ଧବୀ

୫.

ଶରତ ଋତୁରେ ଜହ୍ନ

୬.

ସୁନାର ଝରଣା

୭.

ଅଳକା ସାନ୍ୟାଲ

୮.

ଚିଠି

୯.

ଆଖିର କପୋତ ମୋର

୧୦.

ନିହିତ ଗୋଧୂଳି

୧୧.

ହରେକୃଷ୍ଣ ଦାସ

୧୨.

ପିକନିକ୍‌

୧୩.

ଛୁଟିର ଖରା

୧୪.

ଦୃଷ୍ଟିର ଦିଗନ୍ତ

୧୫.

ସନେଟ୍‌ (ଦଶଗୋଟି)

୧୬.

କାଳପୁରୁଷ

୧୭.

ଅକ୍ରୁର ଉବାଚ

 

 

 

 

୧୮.

ସିଢ଼ୁଆ

୧୯.

କେଉଁ ଘାସ ? କେଉଁ ବାଲିଚର ?

***

 

ଚମ୍ପାଫୁଲ

 

ଚମ୍ପାଫୁଲ ମହକରେ ବାଟଭୁଲି ସମୁଦ୍ରର ଢେଉ

ଆସିଥିଲା କୂଳ ଡ଼େଇଁ ଶୁଖିଥିଲା ଭରାନଈ ଛାତି

ପଥର ତରଳି ଥିଲା, ମଶାଣିର ଭୂତପ୍ରେତ ଛାଡ଼ି

ରଜବତୀ କନ୍ୟା ଲାଗି ଯୋଗୀ ଥିଲା ମଦନରେ ମାତି ।

 

ଚମ୍ପାଫୁଲ ହାତେ ଧରି ମନାସିଲା ଯାଦୁକରୀ ଥରେ

ପଥର ପାଲଟି ହେଲା ରଜାପୁଅ, ହାଡ଼ସବୁ ହେଲା ମୁକ୍ତାଫୁଲ

ରଜାଝିଅ ବେଣୀଫୁଲ ଖସିଗଲା ସୁଏ ସୁଏ ଭାସି

ଗୋଟିଏ ଫୁଲରେ ପୁଣି ହେଲା କୋଟି ମଣିଷର ମୂଲ ।

 

ଚମ୍ପାଫୁଲ ମହକରେ ଏଡ଼େ ସେ ଯେ ଦାରୁଣ କୁହୁକ

ରକ୍ତେଯାଏ ନିଆଁ ଲାଗି, ଛାତି ଆଉ ନିଶ୍ୱାସରେ ନିଆଁ

ଛାତି ଆଉ ନିଶ୍ୱାସରେ ନିଆଁ ସେ ଯେ ଦେହେ ଦେହେ

ବିଜୁଳି ଚମକ ।

 

ବିଜୁଳି ଚମକ ସେ ଯେ ବଣ ନିଆଁ, ସବୁଯା, ଛିନ୍ନଭିନ୍ନ ହୋଇ,

ପୃଥିବୀ ଛାତିରେ ଲୋଟି ପୋଡ଼ିଯାଏ ଜଳିଯାଏ ସବୁ

ମାଂସ ଫୁଟେ ଫୁଲ ହୋଇ ମନେପଡ଼େ ରୋମାଞ୍ଚରେ ଶୋଇ ।

 

କପୋତ କପୋତୀ

 

‘‘ଏ ରାତିର ଏତେ ତାରା ସ୍ମୃତିଅଣେ ତୁମସାଥେ

ଯୁଗ ଯୁଗ ଅନାଦି ଯୁଗର

ତୁମରି ପାଖରେ ବସି ମୁଁ ଭାବେ ହଠାତ୍‌ ଯଦି

ଏ ବାଲିରେ ସ୍ମୃତି ବୁଣି ବୁଣି

ଏ ରାତି ବିଛାଇ ଦିଏ ସ୍ୱପ୍ନ ଆଉ ଯୁଗ ଯୁଗ କଳ୍ପ କଳ୍ପ ତାରା ଆଉ ତାରା

ତୁମରି ଭ୍ରୂଲତା ତଳେ ମିଶିଯାଏ ଦିଗ୍‌ବଳୟ,

ରାଧାନାଥ ରାୟ ଆଉ ସଚ୍ଚି ରାଉତରା.....’’

ସେ କହିଲା, ‘‘ଏହିମୋର ସିଲ୍‌କ ଶାଢ଼ି ଆକାଶି ରଂଗରେ

ଆକାଶରୁ ଖସିଆସେ ତାରା ଆଉ ସଚ୍ଚି ରାଉତରା ।’’

 

‘‘ଏ ଅଂଧାର ଶୋଇପଡ଼େ ଜାକିଜୁକି ନିର୍ବିବାଦେ

ନିଶବଦ ଘୋଡ଼ିଘାଡ଼ି ହୋଇ

ନିଶବଦ ଚଇତ୍ର ଯାଏ ଗଳି ଗଳି ରାସ୍ତା ରାସ୍ତା

ଘୋଡ଼ାଗାଡ଼ି ରିକ୍‌ସାଗାଡ଼ି ଚଢ଼ି

ଇଲେକ୍‌ଟ୍ରିକ୍‌ ଆଲୁଅରେ ସାବୁନ୍‌ ଆଉ ବାସ୍ନାତେଲ

ଗୁଡ଼ାଖୁ ଓ ହଇଦର ବିଡ଼ି

ଚୈତ୍ରର ସପନ ନେଇ ତୁମଠାରୁ ଇନ୍ଦ୍ରଜାଲ ନେଇ

ଗାନ୍ଧୀ ଟୋପି ପିନ୍ଧି ଚାଲେ ଏ ରାସ୍ତାରେ ଭିଡ଼ ଠେଲି ଠେଲି ।’’

 

ସେ କହିଲା, ‘‘ଦୁଷ୍ଟ ତମେ ଦୁଷ୍ଟ ଭାରି ସତ ମିଛ କଥା କହିପାର

ଚୋରପରି ମୋ ପାଖରୁ ଅର୍ଥନୀତି ରାଜନୀତି ସୋସାଲିଜ୍‌ମ୍‌ କାଢ଼ି ନେଇପାର ।’’

 

‘‘ଏ ରାତିରେ ସୀମା ନିଭେ ଭଦ୍ରତାର ଶିଷ୍ଟତାର ଗାନ୍ଧିବାଦ

ସାମ୍ୟବାଦ ଆଉ ପ୍ରେମ କରିବାର ସୀମା

ରକ୍ତ ସିନା ପାଣି ଫାଟେ ତଥାପି ଆଖିରେ ଘୋଟେ ଭାରିହୋଇ

ଏ ରାତିର ଫୁଲଭରା ବିଜନ ନୀଳିମା

ମୁଁ ଶୁଣେ ଅସ୍ପଷ୍ଟ ପାଦ ଶହ ଶହ ହଜିଯାଏ ପାଣି ଖୋଜି ମାଟି ଖୋଜି

ଏ ବାଲିର ଅନ୍ଧାର ଭିତରେ

ତଥାପି ଆଖିରେ ମୋର ଅପନ୍ତରା ଏ ଭୂଇଁରେ ନେଳି ସିଲ୍‌କ ଶାଢ଼ି

ଆଉ ତୁମର ଏ ବିଜନ ନୀଳିମା’’

 

ସେ କହିଲା, ‘‘ଭଲପାଅ ଭଲପାଅ ସତେ ତୁମେ ଏତେ ଭଲପାଅ

ମୋ ପାଖରେ ବସି ସତେ ତୁମର ଏ ସିନିସିଜ୍‌ମ୍‌ ଧୂପ ଆଉ

ହେମ ପୁଷ୍ପ ସବୁ ଭୁଲିଯାଅ ?’’

 

ମୁଁ କହିଲି, ’’ମିସ୍‌ ତୁମେ ଚିରନ୍ତନ ମିସ୍‌ଦାସ ମିସ୍‌ରାୟ

ମିସ୍‌ ସବୁ ନିଖିଳର ସପନ ଭିତରେ

ଆଜି ତେଣୁ ଆକାଶର ବାଦ ଆଉ ଏ ବାଲିର ବିବାଦ ଭିତରେ

ମୁଁ ତୁମକୁ ପ୍ରେମକରେ, ଚିଠିଲେଖେ, ତୁମର ମୁଁ ସମାଧାନ,

ତୁମର ମୁଁ ସମନ୍ୱୟ କରେ –

ତୁମରି ବେଣୀରୁ ଦେଖେ ଚୈତ୍ର ଯାଏ ଭିଡ଼ ଠେଲି

ତୁମରି ଆଖିରୁ ଆସି ଚୈତ୍ର ଋତୁ ଭିଡ଼ ଠେଲି

ଅହିଂସାର ଜିପ୍‌ ଗାଡ଼ି ଚଢ଼େ ।’’

 

ସେ କହିଲା, ’’ଦୁଷ୍ଟତୁମେ ଭାରି ଚାଲାଖ୍‌ ଭାରି ଫାଜିଲ୍‌

ଭାରି ଭଲକଥା କହିଜାଣ

ତୁମରି ପ୍ରେମରେ ଆଜି ଭୁଲିଯାଏ ସତୀତ୍ୱ ମୁଁ ଅର୍ଥନୀତି ରାଜନୀତି

ଆଉ ମୋ’ର ନାରୀ ଜାଗରଣ ।’’

***

 

ଗୋବର ଗଣେଶ

 

ରହିଯାଏ ଅଭାବ ତଥାପି

ବିବର୍ଣ୍ଣ ବେଳାର ପରେ ଢେଉ ପରେ ଭାଙ୍ଗେ ଯେତେ ଢ଼େଉ

ବାଲିର ପାଚେରୀ ଯାଏ ଛିନ୍ନଭିନ୍ନ ସମତୁଲ ହୋଇ ।

ଓଠର ଗୋଲାପି ରଙ୍ଗ ଏ ଆକାଶ ଶୋଷିଦେଲା ପରେ

ଯୋତାର ଗୋଲାପି ଦୃଶ୍ୟ ଏ ଢେଉରେ ଭାସିଗଲା ପରେ

ନିଛାଟିଆ ଗଳିମୋଡ଼ ଛାଇ ତାର ଗିଳିଦେଲା ପରେ ରହିଯାଏ ଅଭାବ ତଥାପି,

 

ଏ ଛାତି ଭିତରେ ମୋର ନିଶ୍ୱାସରେ ଶ୍ୱାସ ପ୍ରଣାଳୀରେ

ମସ୍ତିଷ୍କ ଭିତରେ ମୋର ସବୁ ସୁଅ ସବୁ ଚେତନାରେ

ରହିଯାଏ ତଥାପି ଅଭାବ

ଝଡ଼ର ଓ ତୋଫାନର ବସନ୍ତରେ କୋଇଲି ଡାକର

ବିବର୍ଣ୍ଣ ବେଳାର ଢେଉ ଏ ମନରେ ଗୋଟିଏ ପ୍ରଶ୍ନର

 

ଆଜି ଯେବେ ସନ୍ଧ୍ୟାବେଳେ ପତ୍ରସବୁ ଝଡ଼ି ଝଡ଼ି ପଡ଼େ

ନିଛାଟିଆ ଏ ଗଳିରୁ ସନ୍ଧ୍ୟାବେଳେ ଲୁଚି ଲୁଚି ଛପି ଛପି ପ୍ରେମିକର ପରି,

ମୁଁ ବସେ ଝରକା ପାଖେ ଜାକିଜୁକି ଗୋଲକରି ରଖି ମୋର ଛାତି ପକେଟରେ,

ମଲ୍ଲୀହାର ଚମ୍ପାକଢ଼, ଶାଢ଼ି ତାର ବ୍ଲାଉଜ ତାର ଗୋଲଛାତି କଳାଆଖି ତାର,

ରୁମାଲରେ ଜାକିଜୁକି ମନମୋର ଆତ୍ମାମୋର ମୋ ପୁରୁଷକାର;

 

ପତ୍ରସବୁ ଝଡ଼ି ଝଡ଼ିଯାଏ

ନିଛାଟିଆ ଏ ଗଳିରେ ସାଉଁଟି ସାଉଁଟି ଧୂଳି ମନମୋର

ଦେହ ଖୋଜିଯାଏ

ଦେହମୋର ପ୍ରାଣ ଖୋଜିଯାଏ ।

 

ଆଖିତାର ଗାଢ଼ କଳା

ଗୁରୁକଳା ଅଭାବ ମୋ ଠାରେ

ଗୋଲ ତାର ଛାତିତଳେ ବସନ୍ତ ବା ଯଦି ଉଙ୍କିମାରେ

ମୋ ଠାରେ ଆକାଶଠାରୁ ବହୁଦୂର ବସନ୍ତ ସୁଦୂର ।

 

ଆଜିପୁଣି ମତେ ଲାଜମାଡ଼େ

ଆଜିପୁଣି ଚମକି ମୁଁ ଥକାହୋଇ ଚାହେଁ ଝରକାରେ

ମୁଠାରେ ଦେବାକୁ ଚାପି ଏହି ଗଳି ଏହି ଛକ ଏହି ଶାଢ଼ି ଦାମୀ ଗହଣାରେ

ଥିଏଟର ସିନେମାର ସବୁ ସିଟ୍‌ ଟେବୁଲ ସବୁ ହୋଟେଲର,

ଆଜିପୁଣି ମତେ ଲାଜମାଡ଼େ,

ଆଜିପୁଣି ଅକ୍ଲାନ୍ତ ମୁଁ ଚେଷ୍ଟାକରେ ହେବାକୁ ଚିକ୍‌କଣ

ରୁମାଲରେ ମୁହଁ ପୋଛେ ପଞ୍ଜାବୀରେ ଲଗାଏ ଅତର

ଆଗରେ ଆରିଶି ରଖି ମୁଲାଏମ ହସିବାକୁ ଶିଖେ ।

 

 

 

ମୁଁ ନୁହେଁ ଧୂପର ହିରୋ, ଗାର୍ଲସ୍କୁଲ, ଚୁମ୍ବନ, ବା ଚମ୍ପୂର ନାୟକ

ଚାରୁକଳା ଅଭାବ ମୋ ଠାରେ

ତାର ସିଲକ ଲୁଗାତଳୁ ଗୋଲ ଛାତି ଯେବେ ଉଙ୍କିମାରେ ।

 

ଧନୁରେ ମୁଁ ଯୋଖିନାହିଁ କାଗଜ ବା କ୍ରୋଟନ ସାୟକ

ମୁଁ ଜାଣେନା ବିକାହୁଏ କଟକର କେଉଁ ଦୋକାନରେ

ପ୍ରେମର ପ୍ରଥମ ଫୁଲ ନିଳୋତ୍ପଳ ବକୁଳ ଅଶୋକ,

ନାଟର ଦୂତ ମୁଁ ମୋର ନିଶ ମୋଡ଼ିମାଡ଼ି ଧରି ଢୋକ ଗିଳି ଗିଳି

ଆଣିଦେବା ରାଜ୍ୟର ଖବର

ଥିଏଟର ସିନେମାରେ ନୂଆ ଫେସନ ଶାଢ଼ି ବ୍ଲାଉଜର

ଖୁବ୍‌ ବେଶୀ ହେଲେ କେବେ ଟେଲିଫୋନ କିମ୍ବା ଡାକଘର ।

 

ମୁଁ ଯଦି ହଠାତ୍‌ ଦିନେ ଜଳିଯାଏ

ଏ ଆକାଶ ଯଦିଯାଏ ମୋ ସଙ୍କୁଚିତ ହୋଇ

କାଶ ଯାଏ ଭଲହୋଇ ଆଖିରେ ମୁଁ ଲଗାଏ ଚଷମା

ତା ଚଷମା ଭିତରକୁ ସିଧାହୋଇ ଅନାଇବା ପାଇଁ

ସମୟକୁ ଜାକିଜୁକି ସମସ୍ୟାରେ ଚାପି ଦେବାପାଇଁ

ମୁଁ ଯଦି ତରାଟେ ଆଖି, ମୁଁ ଯଦିବା ନିଶଦାଢ଼ି ରଖେ, ମୁଁ କହେ ତାହାକୁ

 

 

ମୁଁ ପଢ଼ିଛି ଉପନ୍ୟାସ, ମୁଁ ପଢ଼ିଛି ଇଂରାଜୀ ନାଟକ

ମୁଁ ଜାଣିଛି ଏ ରକ୍ତରେ ଶୋଇଥାଏ ଆଦିମ ଅସଭ୍ୟ

 

ମୁଁ ଜାଣିଛି ହଜିଥିବା ରୁମାଲରୁ ଛୁରୀ ଉଠେ ରକ୍ତମୁହାଁ ହୋଇ

ମୁଁ ଜାଣିଛି ବାଘ, ଭାଲୁ, ନଖ ଆଉ ଦାନ୍ତର ବିଚାର,

ସେ ଯଦି କେବଳ ହସେ

ସେ ଯଦି କେବଳ

ପାପୁଲିରେ ମୁହଁ ରଖି ସାବଲୀଳ ଗ୍ରୀବାଭାଙ୍ଗି କୁରରୀର ପରି

ସେ ଯଦି କେବଳ କୁହେ ଭୁଲ୍‍ ସବୁ, ଗଧ ତୁମେ

ବୋକା ତୁମେ, ଓଲୁ ତୁମେ

ଚାଳିଶାର ଭେଳିକି ତୁମର

ସେ ଯଦି ଝରଣା ଯାଏ ହସି ହସି ଲୋଟି ତାର ବିଛଣା ଉପରେ

ଛେପ ଢୋକି ତଣ୍ଟି ଶୁଖିଯାଏ ।

 

ଆଖି ତାର ରହିଥିବ ଛାତି ତାର ଥିବ ଗୋଲ ହୋଇ

ସିନେମାକୁ ଯିବାତାର କେବେହେଲେ ବନ୍ଦ ହେବ ନାହିଁ

ରୁମାଲରେ ମୁହଁପୋଛା ଆଉ ମୋର ସନ୍ଧ୍ୟାର ଅପେକ୍ଷା ନମସ୍କାର, କାଲି ପୁଣି,

ରିକ୍‌ସାଭଡ଼ା କମ୍‌ ହେବନାହିଁ,

ଆଜି ଏହି ସନ୍ଧ୍ୟାବେଳେ ପତ୍ରସବୁ ଝଡ଼ି ଝଡ଼ି ପଡ଼େ ପତ୍ର ଝଡ଼ା ଥମିଯିବ ନାହିଁ ।

 

ଏ ମୋର ମନର ତଳେ ଏ ସହର ଯଦି କେବେ ଥମିଯାଏ ରହିଯାଏ

ଅକସ୍ମାତ୍‌ ସ୍ଥିର ହୋଇ ସ୍ତମ୍ଭୀଭୂତ ହୋଇ

ଏ ହାତ ଉପରେ ମୋର ଅକସ୍ମାତ୍‌ ଛିଡ଼ାହୁଏ ହଠାତ୍‌ ସମୟ

ଏ ହାତ ଉପରେ ମୋର ଟିକ୍‌ ଟିକ୍‌ ଶବ୍ଦଯାଏ ହଠାତ୍‌ ଉଭେଇ,

ମୁଁ କହିବି ଶୁଣୁଚ ହୋ ଗୋଟେ କଥା ପଚାରିବି ଆଜି

ଜାଣିଚଟି କୁମ୍ଭୀପାଳ ନରକରେ ଅସତୀର ଦଶା

ଦାଢ଼ି ମୋର କଣ୍ଟାଳିଆ ଯଦିଚ ତା ଫୋଡ଼ି ହୋଇଯାଏ ।

ଶିମିଳି ଗଛର କଣ୍ଟା ବେଶୀ କିନ୍ତୁ କାଟିବ ଗାଲକୁ

ଛିନ୍ନ ଭିନ୍ନ ନାଭି କମଳକୁ ।

 

ଝରକା ପାଖରେ ମୋର ସରିନାହିଁ ତଥାପି ଅପେକ୍ଷା

ସାଢ଼େ ଦଶ ରାତି ହୋଇନାହିଁ

ସେ ଫେରିଆସିବ ଧୀରେ ତା ଯୋତାର ଶବ୍ଦ ପହାଚରେ

ତା କାନର ଦୁଲପରେ ଝିକିମିକି ରାସ୍ତାର ଆଲୁଅ ।

ତା କାନର ଆଢ଼ୁଆଳେ ଝିକିମିକି ଶହ ଶହ ତାରା

ଆଉ ତାର ନମସ୍କାର ଆସିବ କାଲିକି,

ମୁଁ ଚାହିଁବି ତା ଓଠକୁ, ବ୍ଲାଉଜ ତଳକୁ

ଖୋଜିବାକୁ, ବୁଝିବାକୁ ଗୁପ୍ତ ସେଠି ଯେତେ ଇତିହାସ ଘଣ୍ଟାକ ଆଗରୁ ।

 

 

 

କାଠଯୋଡ଼ୀ ଢେଉ ଡେଇଁ ଆସିନାହିଁ କଟକ ସହର ।

ମନର ବିକୃତ ମୋର ଏହି ଦେହ ମନର ବିକାର

ଏ ଆଖି ଆଗରେ ମୋର ଗାଲ ତାର ଛାତିର ସମ୍ଭାର ।

 

ମୁଁ ଦେଖିଛି ସନ୍ଧ୍ୟା କେତେ ମ୍ଲାନ ହୋଇ ଯାଇଛି ମିଳାଇ

ପତ୍ର କେତେ ଝଡ଼ି ଝଡ଼ି ସମୟକୁ ଯାଇଛି ଗୋଡ଼ାଇ

ଆରଶିରେ ମୁହଁ ଦେଖି ମୁଁ ମାପିଛି କେତେ ଗାଡ଼ହୋଇ

ଆଖି ମୋର ଛୁଇଁଛି କୋରଡ଼

ମୁଁ ଦେଖିଛି ତୋଫାନ ଓ ଝଡ଼

 

କାଠଯୋଡ଼ୀ ଛାତି ଖୋଲି କେତେ ବାଲି ଦେଇଛି ଉଡ଼ାଇ

ତା’ପରେ ସମାନ ସବୁ ସମତୁଲ ନିଶ୍ଚିହ୍ନ ନିରୋଳ

ସବୁ ଭୁଲ ସବୁ ଠିକ୍‌ ମୂର୍ଚ୍ଛାହୋଇ ପଡ଼ିଅଛି ଶୋଇ,

 

ମୁଁ ତାକୁ ପଚାରି ନାହିଁ କରି ନାହିଁ କେବେ ମୁଁ ସାହସ

ମୁଁ ଗଣିଛି ଗୋଟି ଗୋଟି ପତ୍ରଝଡ଼ା ମିନିଟ୍‌ ହାତରେ

ଛୁଇଁଛି ମୁଁ ଗୋଲ ଛାତି ତା’ର

ବୁଝିଚି ମୁଁ ଭ୍ରମରର ଲୋଭ

ତଥାପି, ତଥାପି କିଛି ଆଜିଯାଏ ହୋଇନି ସମ୍ଭବ ।

 

 

 

ଫିଲ୍‌ମ ସରି ନାହିଁ

ରିକ୍‌ସାଭଡ଼ା କମି ନାହିଁ, ଏ ହାତ ଉପରେ ମୋର ମିନିଟ୍‌ କଣ୍ଟା ଥମିଯାଇ ନାହିଁ;

ମୁଁ ଚାହିଁଛି ଝରକାରେ ପତ୍ରସବୁ ଝଡ଼ି ଝଡ଼ି ଯାଏ ପତ୍ରଝଡ଼ା ଥମିଯାଇ ନାହିଁ ।

 

ଏ ଗଳିରେ ଜହ୍ନ ଆସେ, ଝରକା ସେପାଖେ ଶୁଭେ ଚଇତର ଗୋପନ ନୂପୁର

ଧୂଳିର ଭଉଁରୀ ଖେଳି କେତେ ଫୁଲ ଲୋଟେ ମହକରେ

କେତେ ବେଣୀ ଫିଟିଯାଏ କେତେ ତାରା ଝଡ଼େ କୁହୁକରେ ।

ମୁଁ ଶୁଣେ ପତର ଛାତି ଛନକାଇ ଚହଲାଇ ନିଭିଯାଏ ହଜିଯାଏ କୂଳ

ଚଇତର ବିମନା ନୂପୁର;

 

ମୋ ପାଇଁ ଚଇତ କେବେ ଯାଇନାହିଁ ପତର ଥରାଇ

ମୋ ପାଇଁ ଗଳିର ମୋଡ଼ କେବେହେଲେ ଚେଇଁ ଉଠି ନାହିଁ

ଯେତେ ଯୁକ୍ତି ତର୍କ ଯେତେ ସବୁ ବାଦ ପ୍ରତିବାଦ ପରେ

ମୋ ପାଇଁ ଯାଇଚି ରହି ଯୁକ୍ତ ଆଉ ବିଯୁକ୍ତ ମୀମାଂସା

ଏକମାତ୍ର ସମାଧାନ ମୋର,

 

ମୁଁ ଏଠି ଚମକି ଦେଖେ ପତ୍ର ଝଡ଼େ ଥୁଣ୍ଟାଗଛ ଛିଡ଼ୋହୋଇ ରହେ

ଢେଉ ପରେ ଢେଉ ଗିଳି ସମୟର ଆଖିଠାର ମାରି

ତା ଓଠର ଫାଙ୍କପରି ପଡ଼ିରହେ ଏହି ଗଳି ମୋଡ଼ ।

 

ପ୍ରିୟବାନ୍ଧବୀ

 

ପଉଷ କୁହୁଡ଼ି ଆସେ ସ୍ୱପ୍ନପରି ଘାରି ଧାନକ୍ଷେତ

ବିଜନ ବାଲିର ଚରେ ଜହ୍ନ ଯେବେ କ୍ଲାନ୍ତ ହୋଇ ନଏଁ

ଗହନ ରାତିର ଆୟୁ କ୍ରମେ କ୍ରମେ କ୍ଷୟ ହୋଇ ଆସେ

ଯେତେବେଳେ ନଈପଠା ଶେଷଥର କର ଲେଉଟାଏ ।

 

ସେତେବେଳେ କେତେଥର ତୁମର ମୁଁ ପାଇଛି ବା ଦେଖା

ବିଷର୍ଣ୍ଣ ନଈର ତୁଠେ ଭାରି ବେଣୀ ଫିଟିଗଲାବେଳେ

ତୁମର ଅସ୍ପଷ୍ଟ ଛାଇ ତୁଠେ ତୁଠେ ଛପିଗଲାବେଳେ

ସେତେବେଳେ ତୁମର ମୁଁ ଦେଖିଚି ବା ସନ୍ଦେହର ଦେଖା ।

 

ସେ ହେଲା ପୁରୁଣା କଥା ଯେତେବେଳେ ଅଳ୍ପଥିଲା ଦିନ

ଆଉ ଥିଲା ଆକାଶରେ ରକ୍ତସ୍ରାବ ପଉଷ ସନ୍ଧ୍ୟାର

ତୁମେ ପୁଣି ଯାଇଥିଲ ବାଲିଚର ପାରିହୋଇ ନିଭି

ଆଜି ପରି ଅସଂସ୍କୃତ ଅସମ୍ବତ ଭ୍ରାନ୍ତ ସନ୍ଦିହାନ ।

 

ଧାନକ୍ଷେତ ନଇଁ ପଡ଼େ ଶୀତଋତୁ ବୁଢ଼ାହୋଇ ଆସେ

ନିଛାଟିଆ ଆକାଶରେ ତାରା ନାହିଁ ପକ୍ଷୀର କାକଳି

 

 

ତୁମେ ଆଉ ଆସିନାହଁ ଏ ବାଟରେ ଥରେହେଲେ ଭୁଲି

ନିଶବଦ ବାଲିଚରେ ଯେବେ ଯାଏ ପବନ ଗୁମରି ।

 

ତୁମେ ଆଜି ଥରେ ଆସ ଯଦିଚ ବା ସବୁ ମୂର୍ଚ୍ଛାହତ

ଏହି ଗଛ ବଣଲଟା ଆଉ ଢେଉ ଆଉ ବାଲିଚର

ଆକାଶରେ ଜହ୍ନ ଯଦି କ୍ଲାନ୍ତି ପୁଣି ଆବଶ୍ୟକହୀନ

ମୁଁ ତୁମର ଅପେକ୍ଷାରେ ପ୍ରଶ୍ନମୟ ପୁଣି ସନ୍ଦିହାନ ।

 

ତୁମେ ଯଦି ମିଛକଥା, ତୁମେ ଯଦି ବହି ଦୋକାନରେ

ଆଧୁନିକ ପ୍ରେମ ଗଳ୍ପ, ତୁମେ ଯଦି ରେଡ଼ିଓ ଖବର

ତୁମେ ଯଦି ଫିଲ୍ମ ଗୀତ ଥର୍ଡ଼କ୍ଲାସ ରେଳ ଟିକଟ ଘର

ତୁମେ ଯଦି ବଜାରରେ ଲୁଗା ଚିନି ଚୋରା କାରବାର.....

 

ମୁଁ ପଢ଼େ ଖବର ସବୁ, ବୁଢ଼ା ହୋଇଯାଏ ଶୀତଋତୁ

ରଙ୍ଗସବୁ ଛାଡ଼ିଲାଣି ବେକଠାରୁ ଛିଣ୍ତାଲୁଗା ଭଙ୍ଗା କୋଠାଘର

ଧାନକ୍ଷେତ କାହିଁ କେଉଁ ସ୍ମୃତିଟିକେ କେଉଁ ଅତୀତର

ଏଠିମୋର ଚାରିପାଖେ ବାଲିଚର ଖାଲି ବାଲିଚର ।

 

ବାଲିରେ ମୁଁ ବୁଲିଯାଏ ସନ୍ଧ୍ୟାବେଳେ ଆଜିକାଲି

ବିବର୍ଣ୍ଣ ସନ୍ଧ୍ୟାରେ

ଏହି ବାଲି ଚରେ ଚରେ ମୁଁ ଦେଖେ ବହୁତ ଲୋକ

ନାଲିନେଳି ବହୁତ ରଙ୍ଗର

ନିଛାଟିଆ କେତେବେଳେ ଦୀର୍ଘଶ୍ୱାସ ଜମିଆସେ ଆଉ

ରାତି ଚାପି ହୋଇଆସେ

ଏ ବାଲିରେ ସବୁ ଛାତି ଦୁହିଁ ହୋଇ ହୁଏ ଏକାକାର ।

 

ତୁମେ ଆସ ଆଜି ଆସ ମିଲଲୁଗା ପାଲଟି ଦେହରୁ

ବନାରସି ସିଲ୍‌କ ପିନ୍ଧି ସେ ଦେହରେ ହଳଦି ଲଗାଇ

ଚମ୍ପାଫୁଲ ବେଣୀ ମୂଳେ, ଚିତ୍ରଲେଖି ଛାତି ଯୋଡ଼ିକରେ

ତୁମେ ଆସ ଆଜିଆସ ମାଟିରୁ ବା ଆକାଶ ଉପରୁ ।

 

ଯେତେ ବାଲି କୁଢ଼ହୁଏ ଯେତେ ଦେହ ଜଳିପୋଡ଼ି ଯାଏ

ତୁମେ ଆସ ତା’ଭିତରୁ ଯେତେ ଯାହା ଅଭଦ୍ର ଅଶ୍ଳୀଳ

ତୁମରି ଓଠରୁ ତଳେ ଟୋପା ଟୋପା ଝରାଇ ଝରାଇ

ତୁମେ ଆସ ସତୀତ୍ୱ ବା ପୁଞ୍ଜୀଭୂତ ଯେତେ ବ୍ୟଭିଚାର,

 

ରାତି ଧୀରେ ଗାଢ଼ହୁଏ ଦୂରର ଏ ଝାଉଁବଣ ଆଡ଼େ

ଚେର ସବୁ ଶୋଷିନିଏ ପ୍ରାଣପଣେ ଏ ବାଲିର ଛାତିତଳୁ ଦାବି

ଏ ନିଶବ୍ଦ ବାଲିଚରେ ଜହ୍ନ ନାହିଁ ତାରା ନାହିଁ ଯେବେ

ମୁଁ ଆଣୁଛି ତୁମପାଖେ ମାଟିର ମୋ ଜନ୍ମାନ୍ତର ଦାବି

 

 

 

ତୁମେ ଆଜି ଏଠି ଅବା ବରାଣସୀ କାଶୀ ନଗରରେ

କଳରେ ତୁମର ପାନ, କିମ୍ବା ଗୋଲ ନିଛାଟିଆ

ଆରିସି ସାମ୍ନାରେ

ମୁହଁରେ ତୁମର ସ୍ନୋ; କିମ୍ବା ଯେତେ ଚେତନାର ସୀମା ପାରିହୋଇ

ନିଦରେ ପଡ଼ିଚି ଶୋଇ ତନ୍ଦ୍ରାହତ କେଉଁ ଅସ୍ତ ବନସ୍ତ ଭିତରେ ।

 

ମୁଁ ତୁମକୁ ପାରେ ଦେଖି ଆଜିଠାରୁ କେତେବର୍ଷ ପରେ

ଅପନ୍ତରା ସମୟର ଛାତିତଳେ କୁଢ଼ କୁଢ଼ ଉଚ୍ଛିଷ୍ଟ ଉପରେ

ହାଡ଼ରୁ ତୁମର ପଡ଼େ ମାଂସ ଖସି, ଖୋଳିହୋଇ ଆଖି ହୁଏ ଗାଡ଼

ତା ଭିତରେ ଲୟପାଏ ପ୍ରାଣ ମୋର ଆତ୍ମା ମୋର

ଆଉ ମୋର ମାଟିର ଆକାର ।

 

ଗହୀର ଉପରେ ଯାଏ ଛାଇ ଡ଼େଇଁ କିଆବଣ ବେତଲଟା ମୂଳେ ।

ଛାଇ ଯାଏ ଛପି ଛପି କାଠଯୋଡ଼ୀ ବାଲିଚର, କିମ୍ବା ପୁରୀ

ସମୁଦ୍ର କୂଳରେ

ରାତି ଯାଏ ଝରି ଝରି ଆମର ଏ ଦୋକାନ ବଜାରେ

ସ୍ୱପ୍ନଯାଏ ଉଙ୍କିମାରି ଗଳି ଗଳି କୋଠା ସନ୍ଧିତଳେ ।

 

ମୁଁ ତୁମକୁ ଭଲପାଏ ଚନ୍ଦ୍ରଭାନୁ ଭଲ ପାଇଥିଲା

ସିଂହଳ ଦ୍ୱୀପର ସ୍ୱପ୍ନ ମୁଁ ଯାଇଚି କିଣିବାକୁ ଯେବେ

ଲବଙ୍ଗ ବଣର କଥା, କିମ୍ୱା ବ୍ୟଥା କଦମ୍ବ କଢ଼ର

ମୋ ଆଖିରେ ଅବାସ୍ତବ ପାଲଟିଚି ଏ ସହର ତେବେ ।

 

ଲାବଣ୍ୟବତୀରୁ ତୁମେ ଆସ ଅବା ରସକଲ୍ଲୋଳରୁ

କୋଣାର୍କ କାନ୍ଥରୁ ଅବା ସିନେମାର ପରଦା ଭିତରୁ

ମୁଁ ତୁମକୁ ଭଲପାଏ ଚନ୍ଦ୍ରଭାନୁ ଭଲ ପାଇଥିଲା

ମୋ ପାଖେ ସିଂହଳ ଦ୍ୱୀପ ଯାତ୍ରା କିନ୍ତୁ ଅସମ୍ଭବ ହୁଏ ।

 

ତୁମେ ଯେବେ ଆସ ଆଜି ନିଛାଟିଆ ଏ ଯେ ଜନହୀନ

ବାଲିଚର ଖୋଳି ଖୋଳି ଚେର ଯେତେ ପଶେ ଭିତରକୁ

ଆଜି ରାତି କୋହ ହୋଇ ମିଶିଯାଏ ବିରାଟ ଶୂନ୍ୟରେ

ତୁମେ ତେବେ ଆସ ଆଜି ବାସ୍ତବ ବା ସ୍ୱପ୍ନ ଆକାରରେ ।

 

ମୁଁ ତୁମକୁ ଭଲପାଏ ତୁମେ ଦେବ ଚିଠିର ଜବାବ

ତୁମେ ପୁଣି ଫେରିବ ବା ଏହି ରେଳ ଲାଇନ ବାଟରେ

ତୁମେ ପୁଣି ଦେଖାଦେବ ନିଛାଟିଆ ବାଲି ଚରେ ଚରେ

କେଉଁ ଅସ୍ତ ଜହ୍ନତଳେ ଅବା କେଉଁ ବିବର୍ଣ୍ଣ ସନ୍ଧ୍ୟାରେ ।

 

ତୁମରି ଦାନ୍ତରେ ମୋର ଓଠ ଯିବ ଛିନ୍ନ ଭିନ୍ନ ହୋଇ

ତୁମର ଛାତିରେ ଯିବ ଦଳିହୋଇ ବାଲିଚର ନିଶୂନ ନିଘଞ୍ଚ

 

 

ତୁମର ଦେହର ରକ୍ତ ପାଣିଫାଟି ଥଣ୍ତା ହୋଇ ଯିବ

ତୁମର ଭିତରେ ମୋର ଆତ୍ମାଯିବ ନିଶ୍ଚିହ୍ନ ମିଳାଇ ।

 

ମୁଁ ତୁମକୁ ଭଲପାଏ ପ୍ରାଣପାତ କରି ମୋର ଦେହ ମୋର

ବିସର୍ଜନ କରି

ଆଜି ରାତି ଥଣ୍ତାହୁଏ ଯାକି ହୋଇଆସେ ଦିଗ୍‌ବଳୟ

ଭିତ୍ତିହୀନ ତୁମେ ମୋର, ଆଉ ମୋର ଜୀର୍ଣ୍ଣ ସତ୍ତା ପୋତି

ଅନୁର୍ବର ଯୁକ୍ତିହୀନ ମାଡ଼ିବସେ ଦୁର୍ନିବାର ସମୟ ସମୟ ।

***

 

ଶରତ ଋତୁରେ ଜହ୍ନ

 

ଶରତ ଋତୁରେ ଜହ୍ନ ଯାଏ ଆଜି ଆସ୍ତେ ଯାଏ

ଡ଼େଇଁ ଡ଼େଇଁ ଛୋଟ ଛୋଟ ବଉଦର ସିଡ଼ି

ଏତେବେଳେ ଚକ୍ରବାକ ବୋଧହୁଏ କାନ୍ଦୁଥିବ

ଏତେବେଳେ ବିଛଣାରେ ନିଦ ଭାଙ୍ଗି ଆସୁଥିବ ଲାବଣ୍ୟବତୀର.......

ଏତେବେଳେ ଆକାଶରେ ନେଶି ହୋଇଯାଏ ଝାଉଁବଣ

ଏତେବେଳେ ଲୁଣିଖିଆ ଇଟାକାଠ ସିମେଣ୍ଟ ଲୁହାରେ

ଏଠି ମୋର ଚାରିପାଖେ କ୍ଷୟପାଏ କ୍ଷୟପାଏ

ନିର୍ବିବାଦେ ରାତିର ଜୀବନ ।

 

ଚକ୍ରବାକ କାନ୍ଦେ ବୋଲି ସମୁଦ୍ରରେ ଜହ୍ନରାତି ହେଲେ

କେତେଥର ଦେଖିଚି ମୁଁ କାଶଫୁଲ ଭାଙ୍ଗେ ଆସି ଢେଉ

ଏ ବାଲିରେ ବୁଲି ବୁଲି ମୁଠା ମୁଠା ଶାମୁକା ଗୋଟାଇ

କେତେଥର ଖୋଜିଚି ମୁଁ ଜହ୍ନରାତି ଦିନ ଥାଉଁ ଥାଉଁ ।

 

ଶରତ ଋତୁରେ ଜହ୍ନ ଯାଏ ଆଜି ଆସ୍ତେ ଯାଏ, ଚକ୍ରବାକ

ବୋଧେ କାନ୍ଦୁଥିବ

ମୁଁ ତା’ର ରେଖାର ସ୍ୱପ୍ନ ଆଜି ପୁଣି ଚେଷ୍ଟାକରେ

ଏ ଜହ୍ନର ଫିକା ଶ୍ୟାହି ଗୋଳି ଗୋଳି ଆଙ୍କି ରଖିବାକୁ;

 

ଶିଥିଳ ଅନ୍ଧାର ତଳେ ପବନ ଉଡ଼ାଇ ଯାଏ ଜୀର୍ଣ୍ଣ ଛିନ୍ନ ପତ୍ର ସବୁ

ଧୂଳିମଳି ଖବର କାଗଜ,

ଅତର୍କିତ ତା ଶବ୍ଦରେ ମୁଁ ଚାହିଁଚି କେତେଥର

ବୁଲିପଡ଼ି ତା’ର ବ୍ୟସ୍ତ ଉତ୍ୟକ୍ତ ଓଠରୁ

ଜନରବ ସ୍ୱାମୀ ଅବା

ମୋର ମାଂସ ହାଡ଼ ତଳେ ସମୟ ବା ପ୍ରେମର ଦରଜ ?

 

ଶରତ ଋତୁର ଜହ୍ନ ଆଜି ଯଦି କଥାକୁହେ ପୁଣି ମୋର

ସାଇକଲ ଚଢ଼ି

ବ୍ରେକ୍‌ ଦେଇ ଧୀରେ ଧୀରେ କୋଠାଘରେ ଛାଇରେ ଛାଇରେ

ମୁଁ ଯିବି ନଦେଇ ବେଲ୍‌ ରାସ୍ତା ଛାଡ଼ି ଗଳିରେ ଗଳିରେ.....

ହୁଏତ ଓଠରେ ତା’ର ଏ ଜହ୍ନର ସ୍ୱାଦୁ ଥିବ

ଚାପି ହୋଇ ରହିଥିବ ଚୁପ ହୋଇ ବିରହର ଗୀତ

ମୁଁ କହିବି ତା କାନରେ ଏ ଜହ୍ନ ରାତିରେ ଆସ

ତମେ ମୁଁ ଆମେ ଦୁହେଁ – ଆକାଶ ଓ ମ୍ଲାନ ନଈବାଲି;

ତୁମେ ଆଉ ମୁଁ ଦୁହେଁ, ଭଞ୍ଜ ଆଉ ମାନସିଂହ ରାଧାନାଥ ପତି

ନିଶ୍ଚିହ୍ନ ମିଳାଇ ଯିବା ସ୍ୱାମୀ ଆଉ ଜନରବ ଛାଡ଼ି ।

 

 

 

ଚକ୍ରବାକ କାନ୍ଦି କାନ୍ଦି ମରିଯାଏ ଆକାଶର ତଳେ

ସମୁଦ୍ରର ଢେଉ

ଧାଡ଼ି ଧାଡ଼ି କାଶଫୁଲ ଠେଲିଆଣି ଫିଙ୍ଗିଦିଏ ଇତସ୍ତତ

ସମୁଦ୍ର ବାଲିରେ

ତା ଓଠ ଭିତରୁ ଦାନ୍ତ ଧାଡ଼ି ଧାଡ଼ି ଦେଖାଯାଏ

ଶରତ ଋତୁର ଜହ୍ନ ଯାଏ ଯେବେ ମରିଯାଏ ଏ ରାତିରେ

ଅମୁହାଁ ଗଳିରେ,

 

ସମୁଦ୍ର ବାଲିରେ ଜହ୍ନ ଆଜି ହୁଏ ଇତସ୍ତତ

ଆକାଶରେ ମେଘ ଆଉ ମେଘ

ଜହ୍ନ ଯାଏ ତା ଭିତରେ ମରି ହଜି ନିର୍ବିବାଦେ

ସମୁଦ୍ର ବାଲିରେ ସ୍ୱପ୍ନ କାହାର ବା ଚେତନା କାହାର ?

 

ତୁମେ ଆଜି ଶୋଇପଡ଼ ଜହ୍ନରାତି ଆସ୍ତେ କ୍ଷୟ ପାଉ

ଜାକିଜୁକି ହାତଗୋଡ଼, ମୁହଁ ପୋତି ତକିଆ ଭିତରେ

ତୁମର ଉଦ୍‌ଭ୍ରାନ୍ତ ମନ ସ୍ଥିର ହୋଇ ଛପିଯାଉ, ଚୁପଚାପ୍‌

ଆପେ ଛପିଯାଉ ।

 

ଏ ଜହ୍ନରେ ବ୍ୟଥା ନାହିଁ ଗୋପ୍ୟ କଥା ନାହିଁ ପୃଥିବୀର

ଏ ବାଲିରେ ସୁପ୍ତି ଲଭୁ ଯେତେ ଚେଷ୍ଟା ଯେତେ ମନସ୍ତାପ

ଆଜି ଯେବେ କାଶଫୁଲ ଠେଲିଆଣି ଫିଙ୍ଗିଦିଏ ଢେଉ

ସ୍ୱପ୍ନାତୁର ପଥଭ୍ରାନ୍ତ ତୁମର ଏ ଉତ୍ତେଜିତ ମନ

ଏ ନିଶବ୍‌ଦ ବାଲିଚରେ ଯୋଡ଼ି ଯୋଡ଼ି ଚିଠିର କାଗଜ

ଭଙ୍ଗାତୁଟା ସ୍ମୃତି ଯୋଖି ଆଜି ଖୋଜେ ଅର୍ଥକାର

କେଉଁ ସୁପ୍ତ ପୃଥିବୀ ବା କେଉଁ ଗୁପ୍ତ ଆକାଶ ସନ୍ଧାନ

***

 

ସୁନାର ଝରଣା

 

ହସି ହସି ଝରିଗଲା ସିମେଣ୍ଟର ଚଟାଣ ଉପରେ

ସୁନାର ଝରଣା;

ସେତେବେଳେ ଏ ଗଳିରେ ଖରାଥିଲା ପୁଣି ଥିଲେ ଲୋକେ

ପୁଣି ଥିଲା ମୋ ଦେହରେ ପଉଷର ପଳିତ ମୂର୍ଚ୍ଛନା ।

 

ପଉଷର କୁହୁଡ଼ିରେ ତାରା ହଜେ ଜହ୍ନ ହଜିଯାଏ

ଝଡ଼ାପତ୍ର ଠେଲି ଠେଲି ଧୁଳିଯାଏ ସମୟ ବି ଯାଏ

ଜୀବନରୁ ବର୍ଷଟିଏ ଖସିଯାଏ ଆସ୍ତେ ଖସିଯାଏ ।

 

ନିଦରେ ମୁଁ ଶୋଇଥିଲି କ୍ଲାନ୍ତ ଦେହ କ୍ଲାନ୍ତ ଥିଲା ମନ

ଆଖିରେ ମୋ ସୁପ୍ତି ଥିଲା କାମିଜର ରଫୁରେ ରଫୁରେ

ଏ ଦେହରେ ସ୍ୱପ୍ନ ଥିଲା, ମୋର ଜୀବନର ଗାନ ।

 

ଏତେବେଳେ ଅକସ୍ମାତ ଜହ୍ନ ଯଦି ଉଠେ

ଏତେବେଳେ କୁହୁଡ଼ିରେ ଝରିପଡ଼େ ଥୋପି ଥୋପି ତାରା

ଏତେବେଳେ ହଠାତ୍‌ ମୁଁ ଜାଣିପାରେ ଯଦି

ଦେହରେ ମୋ ଛୁଇଁଗଲା ଛପି ଛପି ଗୋପନ ଦକ୍ଷିଣା ।

 

 

 

ପଉଷର କୁହୁଡ଼ିରେ ଜହ୍ନ ହଜେ ତାରା ହଜିଯାଏ

ହସି ହସି ଝରିଯାଏ ସିମେଣ୍ଟର ଚଟାଣ ଉପରେ

ସୁନାର ଝରଣା,

ତା ଆଖିର ଡ଼ୋଳା ତଳେ ଡ଼େଇଁଉଠେ ମୋ ମୁହଁର ଛାଇ ।

 

ମୁଁ ଚାହିଁଚି ତା’ଆଖିକୁ ଅପଲକ ପୁଣି ଭାଷାହୀନ

ତା ଓଠରେ ଯେତେ ଫୁଲ ଦଳିହୋଇ ରଙ୍ଗ ଗୋଳିଦିଏ

ମୁଁ ଭାବିଚି ଖୋଜିଯିବି ସେଠି ମୋର ପ୍ରାଣର ସନ୍ଧାନ ।

 

ତା ପାଦରେ ଛନ୍ଦ ଅଛି, ତା ଆଖିରେ ଝିକିମିକି ତାରା

ତା ଦେହରେ ଯେତେ ଢେଉ ଜହ୍ନ ଆଉ ତାରା ଆଲୁଅର

ତା ବେଣୀରେ ଲୀଳାୟିତ ସ୍ୱପ୍ନ ଯେତେ ଉଆଁସ ରାତିର

ତା ଭିତରେ ଆଶା ମୋର ରହେ ଅବା ଗୋପ୍ୟ ନିରାକାର ।

 

ଝରଣାର ବେଣୀ ଝୁଲେ ଝରଣାର ଶାଢ଼ି ଢେଉ ଖେଳେ

ପଉଷର କୁହୁଡ଼ିରେ ଆଖିରେ ମୋ ଜ୍ୟୋତି ଯେବେ ନିଭେ

ଝରଣାର କୂଳେ କୂଳେ ଆୟୁହତ ମୁଁ ଏକ ପଥିକ

ପାଣି ଖୋଜେ ସ୍ୱପ୍ନ ଖୋଜେ, ଖୋଜେ ମୋର ଦୀପର ଆଲୋକ ।

 

 

 

ସୁନାର ଝରଣା ଯାଏ ଝରି ଝରି ସିମେଣ୍ଟର ଚଟାଣ ଉପରେ

ପଉଷର କୁହୁଡ଼ିରେ ଝରେ ଝରେ ଦୁର୍ନିବାର

ଆୟୁ ମୋର ପତ୍ର ଝଡ଼ିପଡ଼େ

ମୁଁ ତାକୁ ପାଇଚି ଭଲ ବ୍ୟର୍ଥତା ମୋ ପୁଞ୍ଜୀଭୂତ କରି

ଜୀର୍ଣ୍ଣ ମୋର ଅବଶେଷ ଜାଳିପୋଡ଼ି ପଉଷର ମ୍ଲାନ

ଗୋଧୂଳିରେ ।

***

 

ଅଳକା ସାନ୍ୟାଲ

 

ତୁମକୁ ବା ସଚ୍ଚିବାବୁ ଦେଖିଥିଲେ କେବେ

ଜାଣେନାହିଁ ଅଳକା ସାନ୍ନ୍ୟାଲ

ସେତେବେଳେ ଆକାଶରେ ସ୍ୱର୍ଣ୍ଣଚିତା ବାଘ ଅବା

ହରିଣର ଛାଲ

ଅବା ଥିଲା ଗୋଲ ହୋଇ ହଳଦିଆ ଜହ୍ନର ମଶାଲ ।

 

ମୁଁ ତୁମକୁ ଦେଖେ ଆଜି ତୁମେ ଦିଅ ବ୍ଲାଉଜ୍‌ର ବୋତାମ

ଚା ଦାଗ ତୁମେ ଧୁଅ ସେମିଜରୁ ଗରମ ପାଣିରେ

ତୁମେ ପୁଣି କଥା କୁହ ମୁହଁପୋତି ଟେବୁଲ ସେପାଖେ

ତୁମେ ପୁଣି ଉଠିଆସି ଆସ୍ତେ ବସ ପାଖ ଚଉକିରେ ।

 

ଦିପହର ଧୂଳି ଉଡ଼େ ‘ଖାକି ଆଉ ଫିଲ୍‌ଡ଼ ଗ୍ରେ ଧୂଳି’

ସିଗାରେଟ୍‌ ଧୂଆଁ ପୁଣି ଭାରିହୋଇ ବସିଯାଏ ଜରିଫୁଲ

କାଗଜ ଫୁଲରେ

କାଉ ଆଉ ବାଦୁଡ଼ିର ଚେଁ ଚାଁ ମିଶିଯାଏ ଏକାଠି ବାହାରେ

କୋଇଲାର ଧୂଆଁ ପୁଣି ନିଶ ମୋଡ଼ି ମୋଡ଼ି ଉଠେ

ରିକ୍‌ସାବାଲା ବାଟ ଯାଏ ଭୁଲି ।

 

ତୁମକୁ ମୁଁ ଦେଖିପାରେ ଯୋତା ଷ୍ଟ୍ରାପ ତୁମେ ଧୀରେ ଖୋଲ

ତୁମେ ଆସି ଲୋଟିପଡ଼ ବିଛଣାରେ ବେଣୀ ଆଉ ଶାଢ଼ି

ଅସଂଯତ

ତୁମେ ପୁଣି ଆସ୍ତେ ଉଠ ଲୁଗାପଟା ଠିକ୍‌ ଠାକ କରି

ଟାଉନହଲ୍‌ ସଭାରେ ମୁଁ ପାଏ ପୁଣି ତୁମର ସାକ୍ଷାତ ।

 

ତୁମକୁ ବା ସଚ୍ଚିବାବୁ କେବେ ଥରେ ଚିତ୍ରରଥ ଗନ୍ଧର୍ବ ହାତରୁ

ଛଡ଼ାଇ ଆଣିଲାବେଳେ ତୁମେ କଲ ଜୟ ଜୟ କାର

ତା ପରେ ବା ପୁଣି କେବେ ନୂଆଖାଲି ପଠାଣବସ୍ତିରୁ

ଭାରତର ସ୍ୱାଧୀନତା ଦେଲା ପୁଣି ଦ୍ୱିତୀୟ ନିସ୍ତାର ।

 

ଦିପହର କ୍ଲାନ୍ତ ହୁଏ ସନ୍ଧ୍ୟା ଆସେ ରେଳପୋଲ ଆଡ଼ୁ

କୋଇଲା ଚୂଲିର ଧୂଆଁ ଦେଖା ଆଉ ଯାଏନାହିଁ ଚୁପଚାପ

କାଉ ଓ ବାଦୁଡ଼ି

ସିଗାରେଟ ଧୂଆଁ ହୁଏ ଆହୁରି ଜମାଟ ପୁଣି ନରଗିସ୍‌ ନେତାଜୀ

ଫଟୋରେ

ଆକାଶରେ ଜହ୍ନ ପୁଣି ଦେଖାଦିଏ ଅକସ୍ମାତ ଗୋଲ ତାର ତଳ

ଓଠ ରାଗରେ କାମୁଡ଼ି

 

 

 

ମୁଁ ତୁମର ଶୁଣେ ଆଜି ଝଡ଼ପରି ଭୀଷଣ ବକ୍ତୃତା

ମୁଁ ଦେଖେ ତୁମର ଦେହ ହଠାତ୍‌ ଯାଏ କାଦୁଅ ପାଲଟି

ଛିଣ୍ତା ଚିଠି କାଗଜରେ ତୁମର ଯା ଅବଶିଷ୍ଟ ରହେ

ପବନ ସେତକ ନିଏ ସଡ଼କରୁ ସାଉଁଟି ସାଉଁଟି ।

 

ଭଙ୍ଗା ନୂଆଖାଲିରେ ବା କଲିକତା ନୂଆଦିଲ୍ଲୀ ଆଡ଼େ

କାଉ ଆଉ ବାଦୁଡ଼ିର ଚେଁ ଚାଁ, ପୁଣି ଏତେ ଯିବା ଓ ଆସିବା

କଟକରେ ଗଳି ଗଳି ରାସ୍ତା ଛକରେ ଛକରେ

ରାତିର ପ୍ରସୂତି କଷ୍ଟ ସକାଳର ରୁଗ୍‌ଣ ଜନ୍ମ ନେବା ।

 

ତା ଭିତରେ ତୁମେ ପୁଣି ପ୍ରେମକର ଗର୍ଭବତୀ ହୁଅ

ସିନେମାର ହ୍ୟାଣ୍ତବିଲ ମୁଁ ଦେଖିଛି ତୁମର ଦେହରେ

ପବନ ତୁମକୁ ଯେବେ ଆସ୍ତେ ନିଏ ବାଲିରୁ ସାଉଁଟି

ମୁଁ ତୁମକୁ ସ୍ୱପ୍ନ ଦେଖେ ମୋର ଢିଲା ପାଇଜାମା କାମିଜର

ଅମରାବତୀରେ ।

***

 

ଚିଠି

 

ତୁମେ ମୋତେ ଭଲପାଅ.....ଜାଣେ ଜାଣେ ଭାରି ଭଲପାଅ

ନିଛାଟିଆ ଜହ୍ନ ତଳେ ପତରର ବ୍ୟଥିତ ସ୍ୱପ୍ନରେ

ପୁଣି ଜୀର୍ଣ୍ଣ ଚଇତ୍ରର ଜରାଗ୍ରସ୍ତ ବିବର୍ଣ୍ଣ ଦେହରେ

ତୁମେ ମତେ ଭଲପାଅ ଜାଣେ ଜାଣେ ଭାରି ଭଲପାଅ ।

 

ଆଜି ତେଣୁ ଏ ରାତିରେ ନିଶବଦ ଏ ବାଲି ଉପରେ

ବାଟୋଇ ପକ୍ଷୀର ଗୀତ ଯାଏ ଚୁପ ଚାପ ହୋଇ

ଆଉ ଦୂର ଝାଉଁବଣ ଜାକିଜୁକି ସ୍ଥିର ହୁଏ ନିର୍ବାକ ନିଥର

ଅସ୍ତ ଜହ୍ନ ଆଲୁଅରେ ସ୍ୱପ୍ନଯାଏ ଛାରଖାର ହୋଇ

ମୁଁ ତୁମକୁ ଚିଠିଲେଖେ ମୋର ଏହି ନିଛାଟିଆ ଘର

ତୁମର ହାତର ଚିହ୍ନ ବିଛଣାରେ ଟେବୁଲରେ, ଟ୍ରଙ୍କ ବାକ୍‌ସ

ସବୁ ଜିନିଷରେ,

ତୁମର ପାଦର ଚିହ୍ନ ପାହାଚ ଉପରେ ପୁଣି ଚାରିଆଡ଼େ

ଚାରିପାଖେ

ତୁମର ଦେହର ଚିହ୍ନ ରୋଗଗ୍ରସ୍ତ ଏ ଦେହରେ କ୍ଲାନ୍ତ ମୋର

ବିବର୍ଣ୍ଣ ଦେହରେ,

 

 

 

ଏ ରାତିର ତଳେ ଏ ଯେ ସ୍ଥିର ଜମାଟ ସ୍ତବ୍‌ଧତା

ଅସ୍ତତାରା ଆଲୁଅରେ ବାଲିରେ ବା ଦେଖାଯାଏ ପବନର

ଇତସ୍ତତ ଦେହ

ଦୂର ଝାଉଁ ଜଙ୍ଗଲରେ ଥଣ୍ତାହୋଇ ଆସେ ଛାଇ

ସମୁଦ୍ରର ଢେଉରେ ବା ନିରର୍ଥକ ଚେଷ୍ଟା ଆଉ ନଷ୍ଟ ଯେତେ

ଆୟୁଷର କୋହ ।

 

ମୁଁ ତୁମକୁ ଭଲପାଏ ......ତୁମେ ଆଜି ଦୂରରେ ଦୂରରେ

ଏହି ଅସ୍ତ ଜହ୍ନ ଥିବ ତୁମର ଆକାଶ ଆଡ଼େ ହୁଏତ ବା

ତୁମର ଆଖିରେ

ତାରାର ଆଲୁଅ ଥିବ ସ୍ୱପ୍ନ ହୋଇ ଏ କୁହୁଡ଼ି ଆଉ ଏହି

ରାତିର ଅନ୍ଧାର

ତୁମେ ବା ଉଠିବ ଚେଇଁ ହଠାତ୍‌ ଦୁଃସ୍ୱପ୍ନ ଦେଖି ଅକଥିତ

କେଉଁ ଆଶଙ୍କାରେ ।

 

ମୁଁ ତୁମକୁ ଚିଠି ଲେଖେ ତୁମେ ଦେବ ଚିଠିର ଉତ୍ତର

ତୁମେବା ଆସିବ ଫେରି ଅସ୍ତଜହ୍ନ ନିଭିବା ଆଗରୁ

ଏଠି ମୋର ଚାରିପାଖେ ଏ ଦେହର ଦୁର୍ଗନ୍ଧ ଓ

ଦୁଃସ୍ୱପ୍ନରେ ଆଜି

ମୁଁ ତୁମକୁ ଦେଖିପାରେ ମୋର ଶତ ପ୍ରେତାତ୍ମା ଭିତରେ ।

 

ତୁମେ ଆସ ଆଜି ଆସ ତୁମେ ମତେ ଭାରି ଭଲପାଅ

ତୁମର ସ୍ମୃତିର ତଳେ ଅତୀତର ଅକଥିତ ଯେତେ ଭୀରୁ ସ୍ୱପ୍ନ

ସେପାରିରୁ

ମୁଁ ତୁମର ସ୍ୱପ୍ନ ଜାଣେ, ମୁଁ ତୁମର କବିତା

ମୁଁ ତୁମର ଜହ୍ନ ପୁଣି, କାଳିଦାସ ଅନୁବାଦ ପରି

ମୁଁ ତୁମର ବାପ ଭାଇ ସାନ ସାନ ପ୍ରେମିକରୁ ବଳି

ମୁଁ ତୁମର ସତୀତ୍ୱର ଧ୍ରୁବତାରା ସ୍ୱାମୀ ଓ ପ୍ରହରୀ ।

 

ତୁମେ ତେବେ ଆଜି ଆସ ମୁଁ ତୁମର କ୍ଲାନ୍ତ ଅପେକ୍ଷାରେ

ଛୋଟ ମୋର ଏକୋଠରୀ ପୃଥିବୀର ଘୂର୍ଣ୍ଣାବର୍ତ୍ତ ତୁଲେ

ଆକାଶର ଅପନ୍ତରା ଡ଼େଇଁ ଡ଼େଇଁ ଆଜି ଯେବେ ଛୁଟେ

ଏ ଦୁରନ୍ତ ଗତି ବେଗ ବ୍ୟାଧିଗ୍ରସ୍ତ ମୋ ଦେହର ଜରାଗସ୍ତ

ମୋର ରୋମ ମୂଳେ ।

 

ତୁମେ ଆସ ଆଜି ଆସ ନିଶବଦ ଯଦିବା ନୂପୁର

ବାଟୋଇ ପକ୍ଷୀର ଗୀତ ମରି ଅବା ଗଲାଣି ଯଦିଚ

ଆକାଶରେ ଜହ୍ନ ଯଦି ଅସ୍ତ ପୁଣି ମ୍ଳାନ ଯେତେ ତାରା

ଚମ୍ପାବତୀ ଗଳ୍ପ ଯଦି ମିଛକଥା ଖାଲି ବାଜେକଥା ।

 

 

 

ଏ ହେହ ଉପରେ ମୋର କ୍ଷୟ ହୋଇଯାଏ ରାତି

ସମୟର ପାଦଶବ୍ଦ ତୁମେ ସେଠି ଶୁଣି ପାରୁଥିବ

ତୁମର ପାଚିରି ପରେ ପିଠିରଖି ଏ ଥଣ୍ତା କୁହୁଡ଼ି

ନିଛାଟିଆ ଯେତେବେଳେ ଆରାମରେ ଶୋଇପଡ଼ିଥବ ।

 

ଏ ରାତିର ପବନରେ ଘୂର୍ଣ୍ଣାବର୍ତ୍ତ ଭିତରୁ ମୋ ତୁମର ସେ

ଆକାଶଆଡ଼କୁ

ମୁଁ ଆଜି ପଠାଏ ମୋର ଏ ବିରହ ଭୟ ପୁଣି ସ୍ତୂପ ସ୍ତୂପ

ନରର୍ଥକ ବାଲି

ମୁଁ ପଠାଏ ତୁମ ପାଇଁ ମୋର ରୋଗ ଯନ୍ତ୍ରଣା ଓ ମୋ ଦେହର

ଝାଳ ଆଉ ତାତିର ଖବର

ମୁଁ ପଠାଏ ତୁମ ଆଡେ ମୋର ଶତ ପ୍ରେତାତ୍ମାର ନଷ୍ଟ

ଯେତେ ଆଶା ଆଉ

ମୋର ପତୃପୁରୁଷର ଜରା ମୃତ୍ୟୁ ବ୍ୟାଧିର ଖବର ।

 

ମୁଁ ତୁମକୁ ଭଲପାଏ ତୁମେ ମତେ ଜାରେ ଭଲପାଅ

ମୁଁ ତୁମର ଅପେକ୍ଷାରେ ପୁଞ୍ଜୀଭୂତ କରି ମୋର ଏ ହେହର

ଯେତେ କାତରତା

 

 

ମୋ ଚିଠିର ଉତ୍ତର ବା ତୁମେ ଦେବ ହୁଏତ ନଦେବ

ହୁଏତ ଲେଖିବ ତୁମେ ମୋ ପାଇଁ ବା ବିରହ କବିତା ।

 

ମୁଁ ଆଜି ତୁମର ବାଟ ଚାହିଁବସେ ଏ ରାତିର ଆକାଶରେ

ଅସ୍ତ ହୁଏ ତାରା

ମୁଁ ତୁମକୁ ଖୋଜେ ଆଜି କୁଢ଼ କୁଢ଼ ବାଲି ଆଉ ଏ ଘରର

ଆସବାବ ଜିନିଷ ଭିତରେ

ବାଟୋଇ ପକ୍ଷୀର ଗୀତ ମରି ଅବା ଗଲାଣି ଯଦିଚ

ମୁଁ ତୁମର ଅପେକ୍ଷାରେ ମୁଁ ତୁମର ଭ୍ରାନ୍ତ ଅପେକ୍ଷାରେ ।

 

ତୁମେ ଆଜି ଫେରିଆସ ମୋ’ ଦେହର ରୋଗ ଭିତରକୁ

ପିତଲୋକ ଆଜି ମୋର ଚାହିଁଥିବେ ଦୂର ଆକାଶରୁ

ତୁମେ ବା ଆସିବ ଫେରି ଏ ବାଲି ଅପନ୍ତରା ଡ଼େଇଁ

ଗତି ମୋର ଛିନ୍ନ ହେବ ଦୂରନ୍ତ ଓ ଦୁର୍ବିସହ ଏ ଘୂର୍ଣ୍ଣାବର୍ତ୍ତରୁ ।

***

 

ଆଖିର କପୋତ ମୋର

 

ଆଖିର କପୋତ ମୋର ଆକାଶର ଇସ୍ପାତ ଦେହରେ

ବାଧାପାଇ ପ୍ରତିଦିନ ଫେରିଆସେ ଏହି ପୃଥିବୀକୁ

ଯେଉଁଠାରେ ତୁମେ କର ପ୍ରତିଦିନ ବିଜନ ପ୍ରତୀକ୍ଷା

ଜରା ମୃତ୍ୟୁ ବ୍ୟାଧି ପୁଣି ଜୀବନର ଅର୍ଥ ବୁଝିବାକୁ ।

 

ସମୁଦ୍ରର ଢେଉ ସବୁ ଛୋଟ ଛୋଟ ହାତ ପାପୁଲିରେ

ସ୍ଥବିର ବାଲିର ଦେହ ଯେବେ ଦିଏ ଆଉଁଷି ଆଉଁଷି

ମୁଁ ଯାଇ ବିବ୍ରତ ହୋଇ ଭେଦି ଖରା ଦୀପହର ତପ୍ତ ଧୂସରତା

ମୋର ପିତୃ ପୁରୁଷର ସ୍ମୃତି ଖୋଜି ତୁମର ଏ ବିବର୍ଣ୍ଣ ଦେହରେ–

ତୁମେ କୁହ କଥା କୁହ ଘାସ ଆଉ ପତରର ଗୋପନୀୟ କଥା

ଘାଟିବଣ ଜଙ୍ଗଲର କଥା ଯେତେ ଶିଉଳି ଶାମୁକା ଆଉ ସମୁଦ୍ରର କଥା ।

 

ବିଷର୍ଣ୍ଣ ରାତିରେ ଛିନ୍ନ ବଉଦରେ ବିବର୍ଣ୍ଣ ଜହ୍ନର

ଏପାରିରୁ ଭାସିଯାଇ ସେପାରିରେ ମରିଯିବା କଥା–

ଚଇତ୍ରର ଜୀର୍ଣ୍ଣ ଦେହ ଏ ବାଲିର ଛୋଟ ଛୋଟ ଭଉଁରୀ ଭିତରେ

ଏପାଖ ସେପାଖ ଯାଏ ଉଡ଼ି ଉଡ଼ି ତୁମେ ନିଅ ସାଉଁଟି ସାଉଁଟି

ତୁମେ ପୁଣି ଭଲପାଅ ତୁମେ ପୁଣି ହାତଧରି ଡାକ

 

 

ତୁମର ଆତ୍ମା ବା କାହିଁ ? ମୋ ଦେହ ବା ଜୀବନ୍ତ କେଉଁଠି ?

ମେଘର ଇସ୍ପାତ ଦେହ ସ୍ଥିର ପୁଣି ବାଧାପାଏ ସେଠି ତୁମ ମନର କପୋତ ।

 

ଆଖିର କପୋତ ମୋର ଫେରିଆସେ ଯେତେବେଳେ ଆକାଶର ଭ୍ରାନ୍ତି ପାରିହୋଇ

ତୁମର ଦେହରେ ଏହି କ୍ଲାନ୍ତି ଆଉ ଭୋକଶୋଷ ଉତ୍ତେଜନା ଖେଦ ଆଉ କୋହର ଭିତରେ

ମୋ ଦେହର ସ୍ୱପ୍ନ ଧରି ବୋହିଯାଏ ସମୟର ନଈ ।

ନିସ୍ତବ୍‌ଧ ଦିପହରେ ପତ୍ରଝଡ଼ା ଶୁଭେନାହିଁ ଖରାର ନିଶ୍ୱାସ,

ଝାଉଁବଣ ମିଶିଯାଏ ଧୂଆଁ ହୋଇ ଆକାଶ ଭିତରେ

ମନେ ମୋର ପଡ଼େନାହିଁ କେବେ ମୋର ଆଖିର କପୋତ

ତୁମର ସନ୍ଧାନ ଦିନେ ପାଇଥିଲା କଟକ ବା ଉଜ୍ଜୟିନୀ ସହର ପ୍ରାନ୍ତରେ

***

 

ନିହିତ ଗୋଧୂଳି

 

ଏହି ଦୂର ଆକାଶର ଧୂସର ଦେହରେ

ଶୀତର ପାଉଁଶ ଗୋଳି ଆସେ ଏ ପଉଷ, କୁହୁଡ଼ି ଓ କାକରର ରାତି,

ଏ ବର୍ଷର ନଷ୍ଟ ଆତ୍ମା ଏ ବାଲିର ଅପନ୍ତରା ପରେ

ଭୁଲିଯାଏ ବାଟ ଅବା ଭୁଲିଯାଏ ପୃଥିବୀର ସ୍ମୃତି ।

ତୁମେ ଆଜି ପାରିହୋଇ ଅନ୍ୟ କେଉଁ ପଉଷର ଅସ୍ତଗାମୀ

ତାରା ଓ ଅନ୍ଧାର,

 

ସମୁଦ୍ରର ମରୁଭୂମି ଆକାଶର ଏହି ନିସଙ୍ଗତା,

ଶ୍ରାବସ୍ତ୍ରୀ ବା ଉଜ୍ଜୟିନୀ ତାମ୍ରଲିପ୍ତ ଦିନାନ୍ତ ଭିତରୁ

ଆମର ଏ ପୃଥିବୀର ଦିନାନ୍ତକୁ ଆସିଚ ବା ଏକା ।

ସ୍ତିମିତ ନିସ୍ତେଜ ସ୍ଥିର ଅସ୍ତଗାମୀ ତାରା,

ସ୍ତିମିତ ନିସ୍ତେଜ ତଳେ କୁହୁଡ଼ି ଓ ଝାଉଁର ଜଙ୍ଗଲ,

ଅବସନ୍ନ ସହରର ଏ ନିଶ୍ଚିଳ ସ୍ଥବିର ଦେହରେ

ଏ ବର୍ଷର ନଷ୍ଟ ଆତ୍ମା ତୁମର ବା ପାଇଥିବ ଦେଖା ।

ସ୍ତିମିତ ତାରାର ଲୁହ ଆକାଶରୁ ପୁଣି ଆକାଶକୁ

ଶୀତର କୁହୁଡ଼ି ଯାଏ ପାରିହୋଇ ଆଜି ଯେବେ ବିଗନ୍ତରୁ କେତେ ଦିଗନ୍ତକୁ ।

 

 

 

ଆମର ଏ ପୃଥିବୀର ନଷ୍ଟ ଦେହ ନିହତ ଗୋଧୂଳି

ତୁମର ଦେହର ରଙ୍ଗ ଧରିରଖେ ଜୀର୍ଣ୍ଣ ପତ୍ର ଶାଖାପରେ

ଆମେ ସବୁ ସେଥିପାଇଁ ସନ୍ଧ୍ୟାବେଳେ ସମୁଦ୍ର କୂଳରେ

ଏକଯୁଟ ହେଉ ଆସି ନିଜ ନିଜ ସତ୍ତାର ବିହ୍ୱଳେ ।

ଏ ବର୍ଷର ନଷ୍ଟ ଆତ୍ମା ନିଛାଟିଆ କେତେବେଳେ ଅନ୍ଧାର ଭିତରୁ

ହଠାତ୍‌ ଆସି ଛିଡ଼ାହୁଏ ସାମ୍ନାରେ ସୁଏଟର ସାଲ ଘୋଡ଼ିହୋଇ

କେତେବେଳେ ନିଛାଟିଆ ଲାଇଟ୍‌ପୋଷ୍ଟ ପୋକ ଆଉ କୁହୁଡ଼ି ଭିତରୁ

ସେ ରହେ ବା ଗତିହତ ପଥଭ୍ରାନ୍ତ ନିର୍ବାକ ଅନାଇଁ ।

ବାଟୋଇ ପକ୍ଷୀର ଗୀତ ଆଜି ଯଦି ମୌନହେଲା ସରିଗଲା ଗ୍ରାମଫୋନ ଗୀତ

ସେକେଣ୍ତ ସୋ’ ଶେଷ ହେଲା, ଶେଷ ହେଲା ଯାତାୟାତ କଳାରୋଳ

ସଭା ଓ ବକ୍ତୃତା

 

ପତ୍ରସବୁ ଝଡ଼ିଗଲା ନିଛାଟିଆ ସଡ଼କ ଉପରେ

କ୍ଲାନ୍ତ ଯଦି ନଇଁଗଲା ଆକାଶର ଜହ୍ନର ଭ୍ରୂଲତା

ଏବର୍ଷର କ୍ଲାନ୍ତି ଯେତେ ପୁଞ୍ଜିଭୂତ ଅପମାନ; ପ୍ରାଣର ବେଦନା

ଆଉ ନଷ୍ଟ ଦେହ ମନର ନିରାଶା,

ବନ୍ଧୁହାନୀ, ପିତୃହାନୀ ହତାଶ ପ୍ରେମ ବା’ କାର ଚାକିରିର ଆଶା

ପୁଣି କାନ୍‌ସର ଟିବିର ହତାଶା,

କ୍ଲାନ୍ତ ହୋଇ ସବୁ ଯଦି ନିଶବ୍‌ଦେ ବଡ଼ିଚି ଶୋଇ ମଠ ଓ ହୋଟେଲ

ସବୁ ଶୂନଶାନ ସ୍ଥିର ଓ ନିଶ୍ଚିଳ

ମୁଁ ଆଜି ତଥାପି ଚାଲେ ତୁମର ଠିକଣା ଖୋଜି ନିଛାଟିଆ ବାଟଘାଟ

ବାଡ଼ି ଆଉ ଝାଉଁର ଜଙ୍ଗଲ ।

 

ଏବର୍ଷର ନଷ୍ଟ ଆତ୍ମା ନଷ୍ଟ ଦେହ ଏ ରାତିର, ତୁମେ ଯଦି ତା

ଭିତରେ ଅଛ !

ରାତିର ବିନାଶ ହେଉ ନଷ୍ଟ ହେଉ ଦେହମୋର ନଷ୍ଟ ହେଉ

ପୃଥିବୀର ମର୍ମାନ୍ତିକ ଆଶା

ବିନାଶ କାମନା ହେଉ ଲୋପ ପୃଥିବୀର ବର୍ଷା ଆଉ

ମେଘର ପିପାସା

ଶାନ୍ତ ହେଉ ସବୁ ଚେଷ୍ଟା ବିଫଳ ପ୍ରୟାସ ଯେତେ, ମୌନ ହେଉ

ମଣିଷର ଭାଷା ।

 

ଧୂସର ବିବର୍ଣ୍ଣ ଧ୍ୱସ୍ତ କେଉଁ ଏକ ଗୋଧୂଳିର ଅପନ୍ତରା ପରେ

ମୁଁ ଯଦି ତୁମର କେବେ ତା ପରେ ବା ପାଏ ପୁଣି ଆଉଥରେ ଦେଖା

ସ୍ୱାମୀ ଆଉ ଜନରବ ପ୍ରଶ୍ନ ପୁଣି ଜଡ଼ ଜଗତର

ସବୁ ଲୋପ ପାଇଥିବ ଦେହ ମନ ସମୟ ଓ ପ୍ରେମଚିଠି ଲେଖା ।

ଦୂରର ଦିଗନ୍ତ ମୋର ନିଭିଯାଏ ଏ ରାତିରେ ....ନିଭିନାହିଁ ତାରା

ତାରା ଆସି ଜମାହୁଏ ଫ୍ଲାଗଷ୍ଟାଫ ଚାରିପାଖେ ....ନିଭିଯାଏ ଆଶା

ଜହ୍ନ ଆଉ କୁହୁଡ଼ିର ସ୍ଥବିରତା ମାଡ଼ିବସେ ମୂର୍ଚ୍ଛାହତ ସହରର ଛାତି

 

 

ଏ ବର୍ଷର ନଷ୍ଟ ଆତ୍ମା ଖୋଜି ଅବା ପାଏନାହିଁ ନିଃସହାୟ

ମଣିଷର ମର୍ମାନ୍ତିକ ଭାଷା ।

 

ମୁଁ ତୁମକୁ ଭଲପାଏ ଆଜିର ଏ ପଉଷ ରାତିରେ

ତୁମର ଦେହର ତାତି ନଖ ଆଉ ଦାନ୍ତ ଧାଡ଼ି ଧାଡ଼ି

ମୁଁ ତୁମକୁ ଖୋଜେ ଆଜି ଏ ମାଟିର ମର୍ମଦାହ ଦେଇ

ଆଜି ଯେବେ ପୃଥିବୀର ନଷ୍ଟ ଦେହ ନିହିତ ଗୋଧୂଳି ।

***

 

ହରେକୃଷ୍ଣ ଦାସ (ଏକ)

 

ଆକାଶର ଅନ୍ଧାରରେ ଏ ପୃଥିବୀ ବୋରାବର ଚାଲେ

ଭାରସାମ୍ୟ ଠିକ୍‌ରଖି ଗ୍ରହତାର ଜ୍ୟୋତିଷ୍କ ସହିତ

ଭାରସାମ୍ୟ ଠିକ୍‌ ରଖେ କଟକରେ ହରେକୃଷ୍ଣ ଦାସ ...

ଯୌନ ଆଉ ପ୍ରଜନନକ୍ରିୟା ଚାଲେ ଠିକ୍‌ ନିୟମିତ ।

 

ଆମର ଏ ପୃଥିବୀରେ କେବେ କିଛି ଲୋପ ହୁଏ ନାହିଁ

ମଶା, ମାଛି, ପୋକ ଯୋକ ବାକ କାଉ ଓ ବାଦୁଡ଼ି

ରାତିର ଅନିଦ୍ରା ଆଉ ଦିପହର ଝାଳ ଆଉ ତାତି

କେବେ କିଛି ଯାଏନାହିଁ ପୂରାପୁରି ଦେଶରୁ ଉଜୁଡ଼ି ।

 

ରାଜନୀତି ଭଲଲାଗେ ଭଲଲାଗେ ନାଟକ କିବିତା

ହରେକୃଷ୍ଣ ଦାସ ପଢ଼େ ପ୍ରତିଦିନ ଖବର କାଗଜ

ସିନେମାରେ ଛବି ପୁଣି ନିୟମିତ ଚାଲିଛି ବଦଳି

ନିୟମିତ ଛୁଟିହୁଏ କିଲଟରୀ ଇସ୍କୁଲ କଲେଜ ।

 

ନିୟମ ଓ ହାର୍ମୋନି ଭାରସାମ୍ୟ ଅଛି ସବୁ

ଅବାକ୍‌ ଆଶ୍ଚର୍ଯ୍ୟ ହୁଏ ହରେକୃଷ୍ଣ ଦାସ ଥରେ ଥରେ

 

 

ଚଉଧୁରୀ ବଜାରର ବିକାକିଣା ଠେଲା ଠେଲି ଦେଖି

କାହାର ଏକତା ଏଠି ବ୍ୟବସାୟ କାରବାର କରେ !

 

ମେଘ ତାରାର ଯେତେ ଯାତାୟାତ ରେଳ ମଟରର

ମଶା ଓ ମାଛିର ଯେତେ ଯାତାୟତ ଦିନ ଓ ରାତିର

ହାଫ୍‌ଛୁଟି ଶନିବାର ମାଟିନି-ସୋ ରବିବାର ଦିନ

ଏସବୁ ନିୟମ ତଳେ କାମକରେ ଗୁପ୍‌ ଚୁପ୍‌ ମିଷ୍ଟକ୍‌ କାର ପ୍ରୟୋଜନ ।

 

ଏ ପୃଥିବୀ ଠିକ୍‌ ଚାଲେ ଠିକ୍‌ ଚାଲେ ସମୟର ଗତି

ଆଜିର ନାୟିକା ପାଏ ମାଆ ପାଟ୍‌ କାଲି ସିନେମାରେ

ଆକାଶର ତାରା ଯେତେ କେବେହେଲେ ଗଣିହୁଏ ନାହିଁ

ଆଶ୍ଚର୍ଯ୍ୟ ପୃଥିବୀ ହୁଏ ହତବାକ୍‌ ଅଭିଭୂତ ସୂର୍ଯ୍ୟାସ୍ତ ଭିତରେ !

 

ସୂର୍ଯ୍ୟାସ୍ତର ଆକାଶରେ ନରାଜ ଓ କାଠଯୋଡ଼ୀ ନିଭେ

ଗୋଟି ଗୋଟି ଜଳିଉଠେ ତାରା ଆଉ ଦୋକାନ ଆଲୁଅ

ମାର୍କସ୍‌ବାଦ ଗାନ୍ଧିବାଦ ପାମ୍ଫଲେଟ ଟିକଟ ବିକାରେ

ଉତ୍ତେଜନା ବେଶ୍‌ ଜମେ ନାରୀ ଆଉ ଶ୍ରମିକ ବିଦ୍ରୋହ ।

 

ହରେକୃଷ୍ଣ ଦାସ ବସେ ସ୍ୱପ୍ନ ଦେଖି ଝରକା ପାଖରେ

ସେପାଖ କୋଠାର ଝିଅ ପ୍ରତିଦିନ ବୁଲିବାକୁ ଯାଏ

 

 

ପ୍ରତିଦିନ ଏ ପୃଥିବୀ ଆକାଶର ଅପନ୍ତରା ଡେଇଁ ?

ଅଜ୍ଞାତ ବା ଅବଜ୍ଞାତ କେଉଁ ଦୂର ଅନ୍ଧାରକୁ ଧାଏଁ ?

***

 

ହରେକୃଷ୍ଣ ଦାସ (ଦୁଇ)

 

ସଂଧ୍ୟା କେବେ ଜଳିଯାଏ ଗାଢ଼ଲାଲ ବଣନିଆଁ ପରି

ଆକାଶର କଳା ଧଳା ବଉଦର ପାହାଡ଼ ଉପରେ

ସଂଧ୍ୟା ପୁଣି କେବେ ନିଭେ କୁଢ଼ କୁଢ଼, କଳା କଳା ବଉଦ ଭିତରେ

କୋଇଲା ଚୁଲିର ଶେଷ ଝିକି ମିକି ରଡ଼ ନିଆଁ ପରି ।

 

ଅରଖ ଫୁଲର ଫିକା ବାଇଗଣି ବଉଦ ଉପରେ

ସୂର୍ଯ୍ୟ କେବେ ରହିଯାଏ ମୁହୂର୍ତ୍ତକ ହଳଦିଆ ପ୍ରଜାପତି ପରି

ଆକାଶର ଫିକାନେଳି ହଳଦୀ ଓ ବାଇଗଣି ମୁଠା ମୁଠା ବଉଦ ଭିତରେ

ସୂର୍ଯ୍ୟ ପୁଣି କେବେ ନିଭେ ଧୀରେ ଧୀରେ ଛୋଟ ହୋଇ

ବ୍ୟାଟେରୀ ନଥିବା ସାନ ଟର୍ଚ୍ଚ ଲାଇଟ ପରି ।

 

ସବୁଜ କବିତା ପରି ହୁଏତ ବା ଏ ପୃଥିବୀ ରୋମାଣ୍ଟିକ ସ୍ୱପ୍ନାଭ ସୁନ୍ଦର

ରେଡ଼ିଓର ଗୀତପରି ହୁଏତ ବା ଏ ଜୀବନ ଦେହହୀନ କେତୋଟି ମୂର୍ଚ୍ଛନା

‘ଧୂପ’ର ବିରହ ପରି ହୁଏତ ବା ଏହିମନ ଆଷାଢ଼ର ଭାରାତୁର ମେଘ

ହୁଏତ ବା ଏହି ଦେହ ପମ୍ପାସର ନୀଳନୀରେ ନାଗଲୋକ କନ୍ୟାର କାମନା ।

 

ତଥାପି ଶୀତର ଥଣ୍ତା ରାତି ଆଉ କୁହୁଡ଼ିର ଧୂଆଁଳିଆ ଦେହ

ଗଳିରୁ ଗଳିକୁ ଛୁଇଁ ଛୁଇଁ ଲାଇଟ୍‌ ପୋଷ୍ଟ ବଗୁଲିଆ ସ୍କୁଲ ପିଲାପରି

ଚଉଧୁରୀ ବଜାରର ଆଲୁଅ ଓ ଠେଲାଠେଲି ଗହଳି ଭିତରେ

ଏ ପୃଥିବୀ ଜଣାଯାଏ ବନ୍ଧୁହୀନ ଜ୍ଞାତିହୀନ କେଉଁ ଏକ ଅନ୍ୟଦେଶ ପରି ।

 

ଆଶା ଓ ନିରାଶା ଯେତେ ପ୍ରଚାର ଓ ସଭାପରେ ଯୋଜନା

ଓ କମିଶନ୍‌ପରେ

ଆଶା ଓ ନିରାଶା ଯେତେ ପ୍ରେମଚିଠି ଲେଖାପରେ ଚାକିରି ଓ

ବାହାଘର ପରେ

ଚଉଧୁରୀ ବଜାରର ଆତ୍ମାଦେଇ ଏତେ ଦେହ ନିରାଶା ଓ ଆଶାର ମଣିଷ

ମିଶିଯାଏ ଢେଉ ହୋଇ ଦୋକାନରୁ ଦୋକାନକୁ

ନାଲି ନେଳି ଆଲମାରି କାଚ ଆଲୁଅ ଭିତରେ ।

 

ହରେକୃଷ୍ଣ ଦାସ ଚାହେଁ ଅବାକ୍‌ ଆଶ୍ଚର୍ଯ୍ୟ ଆଜି

ଏତେ ଭିଡ଼ ଏତେ ଲୋକ ଏତେ ତେଜ୍‌ ଦୋକାନ ଆଲୁଅ

ପେଟ୍ରୋଲ ବାସ୍ନାରେ ସରକାରୀ ଜିପ୍‌ଗାଡ଼ି ‘‘ଷ୍ଟିଅରିଂ ହୁଇଲ’’ରେ

ଏହି ଛୁଆଁ ପ୍ରଥମ ଶୀତର

ହରେକୃଷ୍ଣ ଦାସ ଚାଲେ ସହରର ବନ୍ଧୁହୀନ ଜ୍ଞାତିହୀନ

‘‘ନମସ୍କାର’’ ‘‘ଜୟହିନ୍ଦ୍’’ ‘‘ସଲାମ’’ ଭିତରେ

ହରେକୃଷ୍ଣ ଦାସ ଦିଏ ହଠାତ୍‌ ଗାଡ଼ିରେ ବ୍ରେକ-

ଅକସ୍ମାତ ଏକି ଭୟ –

କେଉଁ ଘୋର ଦୁର୍ଦ୍ଦିନ ବା କେଉଁ ଘୋର ମହା ପାତକର !!

 

ଭୟ ଆଉ ପାପ ମିଶି ଏ ସମୟ ଅନ୍ତସତ୍ତ୍ୱା....ଜୀବନର ଭଗ୍ନାଂଶ କେବଳ

ତେଣୁ ଏହି ସହରର ଗଳିରେ ଛିନ୍ନ ପ୍ରାଣହୀନ ଦେହ ଓ କାମନା

ତେଣୁ ଏହି ସହରର ବିବର୍ଣ୍ଣଦେହରେ ଶୀତ ଖଦଡ଼ ଓ ଉଲ୍‌ର ପୋଷାକ

ଭିତରେ ହଠାତ୍‌ ଆସି ଛିଡ଼ାହୁଏ ସାମ୍ନାରେ

ଅଭିଶପ୍ତ ମଣିଷର ପାପ ଆଉ ଭୟର ପ୍ରେତାତ୍ମା ।

 

ଅପରାଜିତାର ଗାଢ଼ ବାଇଗଣି ବଉଦ ଉପରେ

ସୂର୍ଯ୍ୟ କେବେ ରହିଯାଏ ମୁହୂର୍ତ୍ତକ ହଳଦିଆ ପ୍ରଜାପତି ପରି

ମଣିଷର କେତେ ସ୍ୱପ୍ନ ଆଶା ଓ ନିରାଶା କେତେ ଯୋଜନା ଓ

କମିଟି ଭିତରେ

ସୂର୍ଯ୍ୟ କେବେ ନିଭିଯାଏ ଆସ୍ତେ ଆସ୍ତେ ଛୋଟ ହୋଇ

ବ୍ୟାଟେରି ନଥିବା ସାନ ଟର୍ଚ୍ଚ ଲାଇଟ୍‌ ପରି ।

***

 

ପିକ୍‌ନିକ

 

ଯେଉଁଠି ଜୁଆର ଆସେ ପୋତିଦେଇ ମୁହାଣର ଘାସ ଖରିବଣ

ଯେଉଁଠି ପାଣିରେ ଆସେ ଅକସ୍ମାତ ଫେଣ ଭାସି ଓଲଟାଇ ମଗରର ପିଠି

ଯେଉଁଠି ପବନ ଯାଏ ଖୋଜି ଖୋଜି ସାପ ଗାତ ଗୁଡ଼କଙ୍କ

ଘାସ ତଳେ ତଳେ

ଯେଉଁଠି ଧୂସର ସବୁ ବାଲି ଓ ଚିଲର ରଙ୍ଗ କଂକଡ଼ା ଓ କୋକିଶିଆଳିର

ଆଜି ସେଠି ଯାଉଥିବ ଅସ୍ତହୋଇ ସ୍ତବ୍‌ଧ ହୋଇ ଏ ରାତିର ଜହ୍ନ ।

 

ଆମେ ସବୁ ବେଳେ ବେଳେ ରୋମାଣ୍ଟିକ ମନନେଇ ଗପସପ କରି

ସାହିତ୍ୟ ଓ ରାଜନୀତି ଛାଡ଼ି ଦେଇ ଚିଠାକରୁ ଯିବାକୁ ସେଠିକି

ଟିଣ ଦୁଧ, ଚା, ଷ୍ଟୋଭ

ସିଗାରେଟ୍‌ ଦିଆସିଲି ଯଥେଷ୍ଟ ଯଥେଷ୍ଟ

କ୍ୟାମେରା ଓ ଗ୍ରାମଫୋନ୍, ଆଉ ପୁଣି ଯଦି ହୁଏ ଜଣେ ଜଣେ ଆମର

ପ୍ରେମିକା ..........

ଜହ୍ନଯାଏ ଧୀରେ ଧୀରେ ଶେଷକୁ ନିସ୍ତେଜ ହୋଇ

ଆମେ ସବୁ ଚାହିଁ ଦେଖୁ ବାରବାଟି ଚାରିପାଖେ ନିଛାଟିଆ ଗଡ଼ର ପରିଖା ।

 

ହାତ ଯଦି ରହିଯାଏ ଚୁପ୍ ଚାପ୍ କେବେ କେବେ ପକେଟରେ ଟେବୁଲ ଉପରେ

ଆମେ ସବୁ କଥା କହୁ ଚିଠିଲେଖି ଟାଇପକରୁ ଗୀତମଧ୍ୟ ଗାଉ

ବେଳେ ବେଳେ ସ୍ୱପ୍ନ ଦେଖୁ –

ମାର୍କସ୍‌ବାଦ ଗାନ୍ଧିବାଦ ଆଲୋଚନା କରୁ......

ଜୁଆର ହୁଏତ ଆସେ ପୋତିଦେଇ ମୁହାଣର ଘାସ ଖରିବଣ

ତା ପରେ ହଠାତ୍‌ ଯାଏ କଥାସରି ଆମର ମୁହଁରୁ ।

 

ଆମର ସରିଚି ଶୋକ ସକାଳ ଓ ସଂଧ୍ୟାର ପ୍ରାର୍ଥନା

ଆମର ସରିଚି ଜନ୍ମ ସଂଗ୍ରାମ ଓ ସ୍ୱପ୍ନର ସାଧନ !

ଆମର ସରିଚି ମୃତ୍ୟୁ ଦେହ ଆତ୍ମା ପ୍ରାଣର ବେଦନା

ଆମର ସରିଚି ମୁକ୍ତି ରାବଣ ଓ ରାଧାର ବନ୍ଦନା ....।

 

କେଉଁଠି ଜୁଆର ଆସେ ପୋତିଦେଇ ମୁହାଣର ଘାସ ଖରିବଣ ?

କେଉଁଠି ଫେଣରେ ନାଚେ ଜୀବନର ଇନ୍ଦ୍ରଧନୁ ମରଣର ଆଦିମ ଆହ୍ୱାନ ?

କେଉଁଠି ପବନ ଯାଏ ଗୁଡ଼କଙ୍କ ଘାସତଳେ ଖୋଜି ଖୋଜି ଖୋଜି ପ୍ରାଚୀନ ଏ ପୃଥିବୀର ପ୍ରାଣ ?

କେଉଁଠି ଧୂସର ବାଲି ଧରିରଖେ ସ୍ମୃତି ସବୁ ଅସ୍ତଗାମୀ ଜହ୍ନର ସନ୍ଧାନ ?

***

 

ଛୁଟିର ଖରା

 

ପାଛୁଡ଼ା ଧାନର ଚୋପା ଛାଇଯାଏ ଆକାଶ ଆକାଶ

ହଳଦିଆ ସୋରିଷ କିଆରୀ

ଅଶ୍ୱତ୍‌ଥ ଗଛର ଖରା, ନିଛାଟିଆ ଖଜୁରୀ ଗଛର

ପାଛୁଡ଼ା ଧାନର ଚୋପା ଆକାଶର ଏପାରି ସେପାରି ।

ନରମ ଆକାଶ ଆଉ ନାଲି କଇଁ ଶୂନ୍‌ଶାନ୍‌ ବେଣା ବାଲିଚର

ନିଛାଟିଆ ଜୋର ପାଣି ନିଛାଟିଆ ନେଳି ଶିଉଳିରେ

ହଳଦିଆ ଏଇ ଦି ପହର ।

 

କ୍ଲାନ୍ତି ମୋର ଧୋଇଯାଉ ନିଛାଟିଆ ନରମ ଖରାରେ

ଡାହୁକ ଡାକର ଖରା, ନାଲି ନାଲି ବରଫଳ ବେତକୋଳି ଖଜୁରୀ କୋଳିର

ଅତଡ଼ାରେ ଖଣା ଖାଲ ଆଉ ଧଳା ବାଲିଚର ଖରା

ଦେହ ମୋ’ର ଧୋଇଯାଉ ଘାସ ଆଖିପତା ନରମ ଖଗରେ ।

 

ପାଛୁଡ଼ା ଧାନର ଚୋପା ଛାଇଯାଏ ଆକାଶ ଆକାଶ .....

ଛାଇଯାଏ ଆକାଶରେ କାଚ ଆଉ ଚିକ୍‌ ଚିକ୍‌ ଜରିର କାଗଜ ।

ଦୋକାନର ପାହାଚରେ ଜରି ଆଉ କାଗଜର ଖରା.....

ତୁମର ଓ ମୋ ଭିତରେ ଚା’, କଫି, କାଚ ଗ୍ଲାସ

ଛୋଟ ଛୋଟ ଚାମୁଚରେ ଆଶଙ୍କା ଓ ଅବଶୋଷ

ଜୀବନର କ୍ଲାନ୍ତି କେତେ କାରୁଣ୍ୟ ଓ ପ୍ରାଣର ଦରଜ ।

 

ତୁମର ମନର କ୍ଲାନ୍ତି ଆଜି ଯଦି ଧୋଇଯାଏ ଟେବୁଲର ନରମ ଖରାରେ

ହଳଦିଆ ଚା, କଫି, ସରବତ ଦୋକାନ ଖରାରେ .....

ଆମର ଏ ବାଟଚଲା, ପୂଜାଛୁଟି, ଖରାଛୁଟି ଗୋଟି ଗୋଟି ରବିବାର

ଅସରନ୍ତି ଖରା ଆଉ ଦିପହର ଅବସନ୍ନ ଆସକ୍ତି ଭିତରେ

ହୁଏତ ତୁମେ ଓ ମୁଁ ପ୍ରାଚୀନ ଏ ପୃଥିବୀର ପ୍ରାଚୀନ ଏ ଦିଗନ୍ତ ଉପରେ

ପ୍ରାଚୀନ ଖରାର ବାଟ ଚିହ୍ନିପାରି ଆପଣାର ଦିଗ

ଆପଣାର ବାଟ ପୁଣି ପାଇବାକୁ ହଠାତ୍‌ ଫେରି .....

ନରମ ଖରାର ମେଘ ...

ଧାନର ନରମ ଖରା........

 

ଜୀବନର ହଳଦିଆ ଛୋଟ ଛୋଟ ମୁହୂର୍ତ୍ତ ଆକସ୍ମିକ ନରମ ଦେହରେ ।

ପାଛୁଡ଼ା ଧାନର ଚୋପା ଯାଏ ଆକାଶ ଆକାଶ

ଡାହୁକ ଡାକର ଖରା ନିଛାଟିଆ ବାଲିଚର ଖରା

ଆଜି ତେଣୁ ଡାକିନିଏ ସହରର ରେଲପୋଲ ଡ଼େଇଁ

ତୁମକୁ ଛୁଟିର ଖରା ଝରାପତ୍ର ବାଲିଚର ଖରା ।

 

ଚୁପ୍‌ ଚାପ୍‌ ବାଲିଚର, ଗାଁ ସ୍କୁଲ, ଡାକ ପିଅନ ସାଇକଲ ଘଣ୍ଟି

କେଉଟ ସାଇର ଢିଙ୍କି ଚୁପ୍‌ ଚାପ୍‌, ଲୁଗାନାହିଁ ଧୋବାତୁଠ ଆଡ଼େ

ଗୁରୁବାର ଚିତା ନାହିଁ ମାଣବସା ହୁଳ ହୁଳି ସଉତୁଣୀ ଶାଶୁ ବୋହୂ କଳି

ଶୂନ୍‌ ଶାନ୍‌ ତୁମ ଗାଆଁ ଆମ ଗାଆଁ

ବିଷର୍ଣ୍ଣ ଏ ଶ୍ରୀହୀନ ଖରାରେ ।

ହଳଦିଆ ଦିପହର ବୋରଝାଞ୍ଜି ଶିଉଳିର ଖରା

ନିଛାଟିଆ ନହଣର ଗେଣ୍ତାଳିଆ, ଘାସ ଆଉ ନରମ ଆକାଶ

ପାଛୁଡ଼ା ଧାନର ଚୋପା ଉଡ଼ିଗଲା ଆକାଶ ସେପାରି–

***

 

ଦୃଷ୍ଟିର ଦିଗନ୍ତ

 

କେତେ କିଆ ଶିଯୁକେତେ ଧାନଗଛ ପତର ଉପରେ,

ଥକାହୋଇ ଏହି ଖରା ଫିକାରଙ୍ଗ ଏହି ଦିପହର

ଝିଣ୍ଟିକାର ଫିକା ଦେହ ଘାସ ତଳେ ମିଶାଇ ମିଶାଇ

ନିଛାଟିଆ ବିଲ ଘାରି ଏହି ଖରା ଶୋଇପଡ଼ୁଥିବ ।

 

ହୁଏତ ବା ଏ ସହର ଆରପାଖେ ଗୋଡ଼ିବାଣ ଫୁଲର ରଙ୍ଗରେ

ସମୟର ଏହି ଭୟ ସୂର୍ଯ୍ୟାସ୍ତର ନିରାଶା ଓ ନିଶାନ୍ତର ଶଙ୍କିତ ଚେତନା

ହୁଏତ ବା ଛପିଯିବ ପ୍ରଶ୍ନ ଓ ସମସ୍ୟା ସବୁ

ଦୁଃଖ ଓ ଦୁସ୍ୱପ୍ନ ଯେତେ

ଗୋଡ଼ିବାଣ ଫୁଲର ରଙ୍ଗରେ ।

 

ଏ ଖରାର ନିଦ ଠିକ୍‌ ନିଛାଟିଆ ଧାନବିଲ ଆଡ଼େ

କାଠକଟା ଚଢ଼େଇର ଡାକପରି ଅବୁଝ ଉଦାସ

ନିଛାଟିଆ ଜୋର ତଳେ କଇଁନାଡ଼ ଦଳ ଆଉ ଫିକାନେଳି ଶିଉଳି ଭିତରେ

କଉମାଛ ନିଦପରି ଏ ଖରାର ନିଦ ଠିକ୍‌

ଏ ଗଳିର ଡସ୍‌ଟବିନ୍‌ କାନ୍ଥ ଓ କବାଟ ପାଖେ

ନିଛାଟିଆ ଶିଥିଳ ଉଦାସ ।

 

ଆଜି ଯେବେ ଏ ଖରାର ସ୍ୱପ୍ନ ଆସେ ମୋ ମନରେ

ଏହି ଚୋରା ଦକ୍ଷିଣାରେ ଧାନକଟା ମହକ ଓ ନିଛାଟିଆ ବିଲ

ନିଛାଟିଆ ଚାଳତଳେ ଧାର ଧାର ପିମ୍ପୁଡ଼ି ଓ କଙ୍କିଡ଼େଣା ଅସରପା ଗୋଡ଼

କେତେ ଅପା, ନୂଆବୋଉ, କେତେ ଖୁଡ଼ୀ ବଡ଼ମାଆ

ହନୁମାନ ମୁଖା ଗାଆଁ ଆଖଡ଼ା ଘରର.............

ମୋ ମନରେ ସ୍ୱପ୍ନଆସେ ଆଜି ଚୋରା ଦକ୍ଷିଣାରେ ......

 

ମୋ ମନରେ ଘାରେ ଆଜି ପକ୍ଷାଘାତ ରୋଗପରି

ଏହି ଖରା ଦିପହର ଧୂସର ଓ ନିଷ୍ଠୁର ଧୂସର ।

ଧୂଳି ଓ କାଗଜ ଫୁଙ୍କି ବୁଲି ବୁଲି ଛୋଟ ଛୋଟ ଭଉଁରୀ ଭିତରେ

ଏ ଚୋରା ଦକ୍ଷିଣା ଆଜି ଝାଞ୍ଜିହୁଏ –

ଏହି ତାତି ଆକାଶର ପିଚ୍‌ ସଡ଼କର.........

ଆଜିର ଏ ରବିବାର ଦିପହର ନିଦ ଠେଲି ପଛରୁ ଏ ସ୍ୱପ୍ନ ଆସେ

ଗୋଡ଼ବାଣ ଫୁଲର କଢ଼ର

ଆଜିର ଏ ସ୍ୱପ୍ନ ଆସେ ପାରିହୋଇ କେତେ ବିଲ

କେତେ ବାଙ୍କ ବୁଲାଣି ଓ ପାରିହୋଇ କେତେ ରେଳପୋଲ ।

ଡ଼େଇଁ କେତେ ଅପନ୍ତରା ଶଗଡ଼ ଗୁଳାର ଧୂଳି ସ୍ମୃତି ଆସେ ସ୍ୱପ୍ନ ହୋଇ

ଦୂରାନ୍ତର, କେତେ ବ୍ୟର୍ଥ ଦୃଷ୍ଟିର ଦିଗନ୍ତ ...........

 

 

 

ଏ ଦୃଷ୍ଟିର ଦିଗନ୍ତରେ ଚରମ ଏ ପିପାସାର ଚରମ ବ୍ୟର୍ଥତା

ହୁଏତ ନିସ୍ତାର ଖୋଜେ ଦୂର ଗାଆଁ ଜୀବନର ଦାରିଦ୍ର୍ୟ ଅଭାବ ଆଉ

ସମୟର ନିରର୍ଥକ ସମବେଦନାରେ

ଆଜି ତେଣୁ ମୋ ମନରେ ଗୋଡ଼ିବାଣ ଫୁଲ ଫୁଟେ

ପତ୍ର ଝଡ଼େ ଅଶ୍ୱତ୍‌ଥର ଝଡ଼ାପତ୍ର ।

 

ଥୁଣ୍ଟା ଗଛ କୋରଡ଼ ଭିତରେ

ପବନ ଗୁମୁରି ଯାଏ

ସକାଳ ଓ ଦିପହର ତାରା ଓ ଅନ୍ଧାର ତଳେ

ନିଶବଦ ମଶାଣିର ଜୁଇଗାଡ଼ ମଶିଣା ଓ ଛିଣ୍ତାକନା ଖପରା ଉପରେ ।

***

 

ସନେଟ୍‌

(ଏକ)

 

ଅସଂଖ୍ୟ ଦେହର ସ୍ୱପ୍ନ ଭାସିବୁଲେ ଏ ରାତିର ସପନ ଭିତରେ

ତାରାରେ ତାରାରେ କ୍ଲାନ୍ତି ସୁପ୍ତି ଆଉ ଅନ୍ୟମନସ୍କତା

ଆଜି ତେଣୁ ଏ ବାଲିର ଅନୁର୍ବର ବିଜନ ଦେହରେ

ପବନ ଥରାଇଯାଏ ନଷ୍ଟ କେତେ ଦେହର କବିତା ।

 

ଆଖିର ପାଖୁଡ଼ାତଳେ ହିମହେଲା ତିକ୍ତ କେତେ ରାତିର ଶିଶିର

ଫୁଟି କେତେ ଝଡ଼ିଗଲା କ୍ଲାନ୍ତ କେତେ ଓଠ ଉପକୂଳେ

କେତେ ରକ୍ତ ତଳେ ତଳେ ଜଳି ପୋଡ଼ି ନିଭିଗଲା ବସନ୍ତର ତାତି

କେତେ ଜହ୍ନ ମ୍ଳାନ ହେଲା କେତେ ଛିନ୍ନ ଅଳକ ଭିତରେ ।

 

ବିବର୍ଣ୍ଣ ଦେହର କେତେ ସ୍ୱପ୍ନମରେ ସମୟର ହାତ

ଆଜିଯାଏ କାଟି କାଟି କେତେ ଦେହ ଓଠର ଫସଲ

କେତେ ମାଂସ ଚମ ଗଲା ଜୂରହୋଇ ମାଟିରେ ମାଟିରେ

ଏ ବାଲିରେ ମରିଗଲା କେତେ ରୂପ ଦେହର ଜଂଗଲ ।

 

ମୁଁ ଯଦି ତୁମକୁ ପାଏ ପାରିହୋଇ ମନ ଆଉ ଦେହ

ପାରି ହୋଇଥାନ୍ତି ଯେତେ ସମୟର ସୀମା ଓ ସନ୍ଦେହ ?

 

(ଦୁଇ)

 

ତୁମେ ଯଦି ବୁଝୁଥିବ ମୋ ମନର ଏ ସନ୍ଦେହ ଅନ୍ୟମନସ୍କତା

ଅଂଧାର ରାତିର ଯେତେ ବିସ୍ମୟ ଓ ଯେତେ ଅବିଶ୍ୱାସ...

ଆଷାଢ଼ର ମେଘ ଯଦି ଆସୁଥିବ ନଇଁ ଗାଢ଼ ହୋଇ

ଦେହର ପୃଥିବୀ ଘେରି ଘାରି ତୁମ ମନର ଆକାଶ ....

 

ତୁମେ ଯଦି ବୁଝୁଥିବ ଏ ବାଟର କ୍ଲାନ୍ତ ଇତିକଥା

ଯେତେ ଦିନ ହଜିଗଲା ଅସରନ୍ତି ଦୁଇ କରେ କରେ .....

ଆଷାଢ଼ର ମେଘ ଯେବେ ଗାଢ଼ହୋଇ ଆଜି ନଇଁ ଆସେ

ତୁମରି ବିଛଣାପରେ ଅବା ଶୀର୍ଣ୍ଣ ତୁମର ଦେହରେ.......।

 

ଆକସ୍ମିକ ଦେହ ମୋର ପୃଥିବୀର ଘଟଣା ଜନିତ

ଆକସ୍ମିକ ଘଟଣାରୁ ଉପଜାତ ତୁମର ଏ ଦେହ

ଅସରନ୍ତି ଏ ବାଟରେ ତୁମେ ଓ ମୁଁ ସମୟର ହାତ

ମୋର ଭଲ ପାଇବାର ଯୁକ୍ତି ଆଉ ତୁମର ସନ୍ଦେହ ...।

 

ମୁଁ ତୁମକୁ ଭଲପାଏ ଜନ୍ମ ମୃତ୍ୟୁ ସମୟର କ୍ଷୟ କ୍ଷତି ଯଦି

ତୁମକୁ ଘେରାଇଦିଏ ଡ଼େଇଁ ମୋର ଏ ଦେହରେ ସୀମିତ ପରିଧି ।

***

 

Unknown

(ତିନି)

 

ସମୟର ଢେଉ ଯେବେ ତୁମର ଏ ବେଣୀର ଢେଉରେ

ଦିନେ ଆସି ବୋଳିଦେବ ଫେଣ ଆଉ କୁହୁଡ଼ି କାକର

ପୋଛିଦେବ କପାଳରୁ ଜହ୍ନ ଆଉ ତାରାର ଆଲୁଅ

ଚିରଦିନ ମରିଯିବ ଫୁଲଗଛ ତୁମର ଦେହର ।

 

ସେଦିନ ଏ ପୃଥିବୀର ସୀମାନ୍ତରେ ଛିଡ଼ାହୋଇ ତୁମେ

ଦେଖିବ ଏ ଆକାଶରେ ଆଜିପରି ଚାଲିଯାଏ ମେଘ

ପତ୍ର ଯେତେ ଝଡ଼ିଯାଏ ଗୋଟି ଗୋଟି ଦିନ ଯେତେ ଯାଏ

ଆଜି ପରି ସେ ସବୁର କିଛିହେଲେ ରହେ ନାହିଁ ଦାଗ ।

 

ସେଦିନ ମୁଁ ଥିବ ଯଦି ଥିବ ମୋର ଆଶା ଓ ନିରାଶା

ଗଢ଼ିବାର ମୋହ ଥିବ ଭାଙ୍ଗିବାର ଥିବ ଅପଯଶ

ଦେହ ମୋର ଥିବ ଯଦି ସମୟର ନଈବଢ଼ି ପରେ

ମନର ଚେତନା ଥିବ ଥିବ ଏକ ସୀମିତ ଆକାଶ ।

 

ସେଦିନ ଏ ପୃଥିବୀର ଏ ସଂକୀର୍ଣ୍ଣ ପରିସର ବ୍ୟାପି

ମୁଁ ତୁମକୁ ଖୋଜିଯିବି ଆଜିପରି ତଥାପି ତଥାପି ।

***

 

(ଚାରି)

 

ଯଦି ମୋର ଏ ମନର ରକ୍ତମାଂସ ଚରମ ପୋଷାକ

ଆଜି ଭଲ ଲାଗେନାହିଁ, ଏ ନିସ୍ତେଜ ପୃଥିବୀର ଦେହ

ଆଜି ଯେବେ ଘୋଡ଼ିହୋଇ ଶୋଇପଡ଼େ ଫିକାଜହ୍ନ ତାରାର ଆଲୁଅ

ଆଜି ଯଦି ଏକାକାର ସମୟର ଦେହ ଓ ଅଦେହ....।

 

ତୁମର ନିର୍ମୋକ ତେବେ ଖସିପଡ଼ୁ ବେଣୀ ଆଉ ଆଖିର ଭ୍ରୁଲତା

କଙ୍କାଳ ତୁମର ଆସୁ ଧଳାହୋଇ ସମୟ ଓ ଜହ୍ନ ଆଲୁଅରେ

ମୋ ଦେହର ସ୍ୱାସ୍ଥ୍ୟ ଆଉ ରକ୍ତମାଂସ ଚମର ପୋଷାକ

ଖସିପଡ଼ୁ ଉପେକ୍ଷିତ ବିସର୍ଜିତ ତୁମର ଦେହରେ ।

 

ପୃଥିବୀର ଏ ଦେହରେ ଖୋଜି ଖୋଜି ମୁଁ ତୁମର ମନର ସନ୍ଧାନ

ଆଜି ହୁଏ ଉପଗତ ଉପକୂଳେ ତୁମର ଦେହରେ

ମୁଁ ତେଣୁ ତୁମକୁ ଖୋଜେ ରକ୍ତେ ମୋର ଦେହର ସୀମାରେ

ତୁମର ଆତ୍ମା ବା କାହିଁ ଦେହ କାହିଁ ତୁମର ମନର ?

 

ମୁଁ ତୁମକୁ ଭଲପାଏ ପୁଂଜିଭୂତ ଏ ଦେହରେ ଆତ୍ମାମୋର ମନର ପିପାସା

ମୁଁ ତେଣୁ ତୁମର ଦେହ ଖୋଜେ ମୋର ଏ ଦେହରେ ସବୁ ମୋର ଆଶା ।

***

 

(ପାଞ୍ଚ)

 

ଆଷାଢ଼ର ଆକାଶରେ ମେଘନାହିଁ, ଘାସନାହିଁ ମାଟିର ଦେହରେ

ହସର କେଶର ଘେରିନାହିଁ ଓଠ ଚମର ପାଖୁଡ଼ା

ଶାମୁକା ଭିତରେ ନାହିଁ ସ୍ୱପ୍ନ ଦୂର ନୀଳ ସାଗରର

ସମୟ ସୁଅରେ ନାହିଁ ଜୀବନର ଭଙ୍ଗା ଆଉ ଗଢ଼ା ।

 

ତୁମର ଦେହର ଏଇ ନିଛାଟିଆ ନଈବାଲି ପରେ

ପବନ ତ ଆସେନାହିଁ ଆଷାଢ଼ର ମେଘ ଅବାକାହିଁ ?

ମୋ ଦେହର କିଆରିରେ ପୋଛିଦେଇ ଖରା ଆଉ ତାତି

ତୁମର ବଢ଼ିର ପାଣି ଆଜିଯାଏ ମାଡ଼ି ଆସି ନାହିଁ ।

 

ଆଷାଢ଼ର ଆକାଶରେ ମେଘ ଆସେ ବର୍ଷା ଯଦି ଆସେ

ପୃଥିବୀ ଦେହରେ ପୁଣି ଫେରିଯଦି ଆସେ ଉର୍ବରତା

ମଣିଷର କିଆରୀରେ ଯଦି ପାଚେ ହସର ଫସଲ

ପୁଣି ଯଦି ଭଲଲାଗେ କ୍ଷୟକ୍ଷତି ସମୟର ବ୍ୟଥା....।

 

ପ୍ରାଚୀନ ଏ ପୃଥିବୀରେ ଜୀବନ୍ୟାସ ପାଏ ଯଦି ମଣିଷର ଦେହ

ତୁମେଯଦି ଭଲପାଅ ତୁମେ ଯଦି ଆଜି ଭଲପାଅ !!

***

 

(ଛଅ)

 

ପୃଥିବୀର ଦୟାକ୍ଷମା ସ୍ୱପ୍ନ ପୁଣି ଆଶା ଓ ବିସ୍ମୟ

ତା ଭିତରେ ତୁମେ ଥିଲ; ଫାଲ୍‌ଗୁନରେ ଥିଲା କୃଷ୍ଣଚୂଡ଼ା

ଶାନ୍ତି ଥିଲା ସୁଖ ଥିଲା ଦେହ ଆଉ ମନର ଶ୍ରାବଣ

ପୃଥିବୀର ଦେହ ଘେରିଥିଲା ଦିନରାତିର ପାଖୁଡ଼ା ।

 

ଅସ୍ତଗାମୀ ତାରା ଆଉ ଅସ୍ତମିତ ବଉଦର ବାଟ

ମିଳାଇ ଯାଇଛି ମେଘ ଦୈନ୍ୟ ଆଉ ଶୂନ୍ୟତାର ଦେଶ

ଦିନର ଉତ୍ତାପ ପୁଣି ଉତ୍ତରାର ଶୀତ ଓ ଶୂନ୍ୟତା

ବିବର୍ଣ୍ଣ ପ୍ରକୃତି ପାଖେ ଜରାଜୀର୍ଣ୍ଣ ବିବର୍ଣ୍ଣ ପୁରୁଷ ।

 

ତୁମକୁ ମୁଁ ଖୋଜିଥିଲି ଦୟା କ୍ଷମା ଆଶା ସ୍ୱପ୍ନରେ ।

ସ୍ୱପ୍ନକାହିଁ ? କ୍ଷମାକାହିଁ ? ସମୟର ବିବର୍ଣ୍ଣ ବିସ୍ତୃତି......

ରୂପକାହିଁ ରେଖାକାହିଁ ଚରିତ୍ର ବା ଏମୋର ମନର ?

ତୁମର ଦେହର ଦେହରେ କାହିଁ ଯୁଗଯୁଗ ମଣିଷର ସ୍ମୃତି ?

 

ମୋର ଆଜି ମୃତ୍ୟୁହେଉ–ଜରାଜୀର୍ଣ୍ଣ ପୃଥିବୀର ଦେହ

ତୁମକୁ ମିଶାଇ ଦେବ ତୁମେ ଭଲପାଅ ବା ନପାଅ ।

***

 

(ସାତ)

 

ହଳଦିଆ ପୃଷ୍ଠାଯେତେ ସମୟର ଚିଠି ଆଉ ଖାତାର କାଗଜ

ମୁଁ ପଢ଼େ ଥରକୁ ଥର କେତେ ଲେଖା ଛପା କେତେ ଛୋଟ ଛୋଟ

ଅସ୍ପଷ୍ଟ ଅକ୍ଷର

ଯମକ ଓ ଅନୁପ୍ରାସ ଅଳଂକାର ହା ହୁତାଶ କେତେ

ବର୍ଣ୍ଣନା ଚାତୁରୀ ପୁଣି କେତେ ପ୍ରେମିକର ।

 

ସମୟର ଲେଖାସବୁ ପ୍ରତିଦିନ ପଢ଼ିହେବ ଯଦି

ମୋ ମନର ବ୍ୟାକରଣ ଅନୁପ୍ରାସ ତୁମର ଦେହର

ଯମକ ଓ ଯତି ପାତ ଧ୍ୱନି ଆଉ ହା ହୁତାଶ ଯେତେ

ଲେଖିରଖେ ସବୁଯଦି ହଳଦିଆ ପୃଷ୍ଠା ସମୟର .........।

 

ସମୟର ପୃଷ୍ଠାଯେତେ ଗୋଟି ଗୋଟି ପଛକୁ ପଛକୁ

ମୁଁ ଚାଲିଛି ଓଲଟାଇ ଖୋଜି ଖୋଜି ତୁମର ଉପମା

କେଉଁ କବି ପ୍ରେମିକର ହା ହୁତାଶ ଆହତ ସ୍ୱପ୍ନରେ

ଆଣିଥିଲା ଅବସାଦ ସମୟର କ୍ଷୋଭ ଆଉ କ୍ଷମା ।

 

ଆକାଶର ଶୂନ୍ୟତାରେ ପୃଥିବୀର ଦୁରନ୍ତ ଏ ଗତି

ତୁମର ବା ଶେଷ କେବେ ଶେଷ ମୋର ସମୟ ଓ ସ୍ଥିତି ?

 

(ଆଠ)

 

ଏ ରାତିର ଅରୁନ୍ଧତୀ ସପ୍ତଋଷି ସ୍ୱାତି ଶତଭିଷା

ଏ ଆଖିରେ ସୀମାହୀନ ଯୁକ୍ତିହୀନ ନିରୁକ୍ତ ନୀଳିମା

ଏ ମନରେ ସ୍ମୃତିହୀନ ଶୁପ୍ତିହୀନ ଚେତନା ଓ କାମନାର ସୀମା–

ଆକସ୍ମିକ ଶାନ୍ତି ଯଦି ପାଏ ଆଶା ସକଳ ପିପାସା....।

 

ଜୀର୍ଣ୍ଣ ପତ୍ର ଝଡ଼ିଯାଏ ନେପଥ୍ୟରେ ଅସ୍ପଷ୍ଟ ଅସ୍ଫୁଟ

ଏ ବର୍ଷର ଶେଷଯାତ୍ରା ମର୍ମରିତ ନିଶ୍ୱାସର ଢେଉ

ଅରୁନ୍ଧତୀ, ସପ୍ତଋଷି, ଚିରନ୍ତନ କ୍ଷୟମାନ ଆୟୁ–

କେନ୍ଦ୍ର ଯଦି ସ୍ଥିର ରହେ ସ୍ଥିରରହେ ବାଟ ଓ ଅବାଟ ।

 

ଏ ରାତିର ଛାତିତଳେ ଗଣିଚି ମୁଁ ସ୍ୱାତି ଶତଭିକ୍ଷା

ଆଉ ଯେତେ ଭୋକଶୋଷ, ଯେତେ ମୋହ ଯେତେ କୋହ

ଯେତେକ ଦ୍ୱିରୁକ୍ତି

ଯେତେ ଲୋଭ ଯେତେ କ୍ଷୋଭ ଯେତେ ପାପ ବସ୍ତୁ ଓ ବିକାର

ଭାଷାହୀନ ମୂହ୍ୟମାନ ଯେତେ ଆଶା ଯେତେବା ପିପାସା ।

 

ଖଣ୍ତିତ ଆକାଶ କ୍ରମି ମରଣ ବା ଜୀବନର ମୁକ୍ତି

ମୁଁ କରିଛି ଅନ୍ୱେଷଣ ପାଇନାହିଁ ସନ୍ଧାନ କାହାର ।

 

(ନଅ)

 

ତୁମର ଆଖିର ତାରା ହୁଏତ ବା ନିଶାନ୍ତର ନିସ୍ତେଜ ତାରାରେ

ରହିବ ବିବର୍ଣ୍ଣ ସ୍ମୃତି ଘୋଡ଼ିହୋଇ ମେଘ ଆଉ କୁହୁଡ଼ି ଓଢ଼ଣା

ତୁମର ଓଠର ଛିନ୍ନ ଫୁଲ କଢ଼ ପୃଥିବୀ ଦେହରେ

ହୁଏତ ରହିବ କେତେ ବସନ୍ତର ଫୁଲର ଗହଣା ।

 

ମୋ ମନର ଆକାଶରେ କେତେ ତାରା କେତେ ଝଡ଼ା ଫୁଲ

ମୋ ଦେହର ପୃଥିବୀରେ କେତେ ମୃତ୍ୟୁ କେତେ କ୍ଷୟ କ୍ଷତି

କେତେ ଆଶା କାମନା ଓ ଭୟ କେତେ ମେଘ ଆଉ ଖରା

ମୁମୂର୍ଷୁ ଦିନାନ୍ତ କେତେ, କେତେ ତିକ୍ତ ଦିଗନ୍ତର ସ୍ମୃତି ।

 

ତୁମର ଓଠର ରଙ୍ଗ ଫୁଲହୋଇ ଯଦି ଫେରେ ବସନ୍ତ ସହିତ

ବିବର୍ଣ୍ଣ ତାରାରୁ ଯଦି ତୁମ ଆଖି ଲୁହ ଫେରେ ଏହି ଘାସ

କାକର ଟୋପାରେ

ଏ ମୋର ବିରହ ତେବେ କେତେ ଜୀର୍ଣ୍ଣ ଝଡ଼ାଫୁଲ ପରି

ଝଡ଼ୁଥିବ ଚିରଦିନ ମୋର ଚିଠି ପ୍ରେମଗପ ନାଟକ ଓ କବିତା ଲେଖାରେ ।

 

 

 

 

 

ତୁମର ଦେହରେ କିନ୍ତୁ ବିବର୍ଣ୍ଣ ବସନ୍ତ ଯାଏ ପତ୍ରଝଡ଼ା ଦେଇ

ଆଉ ମୋର ଏ ଦେହରେ ତୁମର ଏ ବସନ୍ତର ରକ୍ତଚାପ

କମିନାହିଁ ମୋଟେ କମିନାହିଁ ।

***

 

(ଦଶ)

 

ମୁଁ ଯଦି ପଛକୁ କେବେ ଫେରିଚାହେଁ ମୋ ସତ୍ତାର ବ୍ୟଥା ଓ କ୍ଲାନ୍ତିରେ

ଏ ସଂଧ୍ୟାର ଏ ଆକାଶ ଆରକ୍ତ ଦିଗନ୍ତ ପରେ ଧାଡ଼ି ଧାଡ଼ି ଏହି ଝାଉଁଗଛ

ଆଉ ଏହି ଗୋଧୂଳିର ବିବର୍ଣ୍ଣ ଶୂନ୍ୟତା ଧରି ତୁମର ଏ ଆଖିର ଆକାଶ

ମୋର ଯଦି ମନେପଡ଼େ ମୋ ମନର ଭ୍ରାନ୍ତି ଘେରି ତୁମର ଦେହର ଏହି ଯେତେ ସତ ମିଛ.....

କୃଷ୍ଣଚୂଡ଼ା ପାଖୁଡ଼ାରୁ ରଂଗ ନିଭିଗଲା ପରେ ଚିଠି ଆଉ କବିତା ସେପାଖେ

ସେଦିନ ମୋ ଦିନାନ୍ତର ଧୂସର ଆକାଶ ଆଉ ଶୁପ୍ତି ଭିତରକୁ

ମୁଁ ଯଦି ଅନାଇଁ ଦେଖଇ ହଠାତ୍‌ ଆଶ୍ଚର୍ଯ୍ୟ ହୁଏ କୃଷ୍ଣଚୂଡ଼ା ଫୁଲରେ କଢ଼ରେ

ତୁମର ଦ୍ୱିରୁକ୍ତି ଫେରେ ଆଧୁନିକ ଗୀତହୋଇ ଥିଏଟର ପାର୍କ ଭିତରକୁ–

ସେଦିନ ମୋ ନଷ୍ଟ ଲଗ୍ନ ଭିତରେ ହୁଏତ ଥିବ ଏ ପୃଥିବୀ ତଥାପି ସୁନ୍ଦର–

କୃଷ୍ଣଚୂଡ଼ା ପାଖୁଡ଼ାରେ ହୁଏତ ବସନ୍ତ ଥିବ ତୁମର କବିତା ଆଉ ନାଚ ଗୀତ ଆର୍ଟରେ କଳାରେ

ଯଦିଚ ବା ଏଠି ତାର ମୁଁ ଜାଣିଚି ମୃତ୍ୟୁ ଆସେ, କ୍ଷୟ ଆସେ, ରକ୍ତପାତ, ରୋଗ ଆଉ ଶୋକ

ଯଦିଚ ବା ମୁଁ ଜାଣିଚି ଏଠି ଆସେ ଈର୍ଷା ଘୃଣା, ସତୀତ୍ୱ ବି ନଷ୍ଟହୁଏ, କ୍ଲାନ୍ତି ଆସେ ଭଲପାଇବାରେ ।

ସେଦିନ ମୋ ଦିନାନ୍ତର ସବୁ କ୍ଷୟ କ୍ଷତିପରେ ସମୟର ମୁଠା ମୁଠା ଉଚ୍ଛିଷ୍ଟ ଓ ସ୍ମୃତିର ସ୍ତୂପରେ

ତୁମେ ପୁଣି ଦେଖାଦେବ ମୋ ମୃତ୍ୟୁର ଭୟତଳେ ହ୍ୟାଣ୍ତଲୁମ୍‌ ଶାଢ଼ିରେ ବା ଅନ୍ୟକେଉଁ ଆଖିର ତାରାରେ ?

***

 

କାଳପୁରୁଷ

(ଏକ)

 

ବର୍ଷାଋତୁ ନିଷ୍ଠୁର ନିର୍ମମ, ଫୁଟାଇ ରଙ୍ଗଣି ଫୁଲ ଖତକୁତ

କାନ୍ଥ ବାଡ଼ ମୂଳେ, ହାଡ଼ରେ ଥରାଇ ରସ, ମାଟିତଳେ ଚେର ମୂଳଂ ଟାଣି

ବର୍ଷାପଡ଼େ ବର୍ଷାପଡ଼େ ଝରି, ଥରାଇ ମୁମୂର୍ଷୁ ଆତ୍ମା ଥୁଣ୍ଟା ଗଛ

ଶିଅ ମୂଳେ ମୂଳେ, ବର୍ଷା ପଡ଼େ ଝରି ଝରି ଅସରନ୍ତି ବର୍ଷାପଡ଼େ ଝରି ।

ବୈଶାଖ ଓ ଜ୍ୟୋଷ୍ଠ ଖରା, ଆକାଶର ଟିଣ ଛାତ ତଳେ

ମୂର୍ଚ୍ଛାରେ ଆହତ ଯେବେ ଥିଲା ସବୁ, ସବୁ ଥିଲା ଉତ୍ତେଜନା ହୀନ

ହାଡ଼ରେ ନ ଥିଲା ଚେଷ୍ଟା, ସ୍ନାୟୁ ଶିରା ପ୍ରଶିରା ଭିତରେ

ଆଶାର ନଥିଲା ଦ୍ୱନ୍ଦ୍ୱ ବିରକ୍ତି ବା କାହାର ଆସକ୍ତି,

କେତେବେଳେ ଘରପୋଡ଼ି, ଖଙ୍କାପେଟ କୁକୁର ଜିଭରେ

ଟୋପା ଟୋପା ନାଳ ତଳେ ଥିଲା ଯାହା ମୁମୂର୍ଷୁ ଜୀବନ । ।୧୦।

 

ବେଶ ଥିଲା ଠିକ୍‌ ଥିଲା ସବୁ

ସେ ଦିନ ଆସିଲା ବର୍ଷା ଛିନ୍ନଭିନ୍ନ ବିଶୃଙ୍ଖଳ ଅସଂଯତ ବଉଦର ସୁଅ

ପକେଟରେ ହାତରଖି ଚମତ୍କୃତ ବିସ୍ମିତ ମୁଁ ଛିଡ଼ାହୋଇ ମହାନଦୀ କୂଳେ

ଅବାକ୍‌ ମୁଁ ଲକ୍ଷ୍ୟକଲି ଆଷାଢ଼ର ଅଶ୍ରୁଳ ଉଦୟ ।

ସେଦିନ ବାହାରେ ବର୍ଷା ମେସ୍‌ଘର ଉଷୁମ ଭିତରେ

ବ୍ରିଜ୍‌ ଖେଳ ଜମିଲା ସେଦିନ

ଟିକା, ରଜା, କଳାପାନ୍, ନାଲିପାନ୍‌, ଚାହାକପ୍‌, ସିଗାରେଟ ଧରି

ସେ ଦିନ ଆସିଲା ଫିଟି ବେଣୀପରି ଭାରାକ୍ରାନ୍ତ ଆଷାଢ଼ ଶ୍ରାବଣ ।

ମନେପଡ଼େ ଦେଢ଼ବର୍ଷ ତଳେ

ଦେଢ଼ବର୍ଷ ତଳେ ଥରେ ପଡ଼ିଥିଲି ପ୍ରେମରେ ତୁମର । ।୨୦।

 

କହୁଥିଲି କାନେ କାନେ ଝରିପଡ଼ୁ ଝରିପଡ଼ୁ, ବର୍ଷାପରି ସବୁ ଝରିପଡ଼ୁ

ତୁମର ବେଣୀରୁ ଫିଟି ଝରିପଡ଼ୁ ଆଷାଢ଼ ଶ୍ରାବଣ ।

ଏକିରେ ଅନ୍ଧାର ଉଠେ ଗିଳି ରେଖା ଆକାର ପ୍ରକାର

ସୀମିତ ମୋ ପୃଥିବୀର ଦିଗହଜେ, ହଜିଯାଏ ଉପର ଓ ତଳ

କ୍ଲାନ୍ତ ମୋର ଦେହ ଚାପି ମାଡ଼ିଆସେ ବାଲିଚର ମାଡ଼ିଆସେ ବାଲି ଓ ଅନ୍ଧାର ।

ପାଦ ଯେବେ ଛନ୍ଦିଦିଏ ଅନ୍ଧାରରେ ଗୁଡ଼କଙ୍କ ନଟା

ଦେହ ମୋର ଘେରିରଖେ ସ୍ତୂପ ସ୍ତୂପ କୁଢ଼ କୁଢ଼ ବାଲି ଓ ଅଙ୍ଗାର

ନିରର୍ଥକ ଆତ୍ମହତ୍ୟା ନିରର୍ଥକ ଯେତେ ଅପବ୍ୟୟ

ବୋଧିଦ୍ରୁମ ତଳେ ଅବା ଫାସିଦିଆ ବରଗଛ ତଳେ

ଭୋକ ଶୋଷ କମି ନାହିଁ, ସରି ନାହିଁ, ଲୋପ ପାଇନାହିଁ । ।୩୦।

 

ଭୋକ ମରି ଯାଇ ନାହିଁ ନିଛାଟିଆ କଟକ ଗଳିରେ

ଆଜି ତେଣୁ ଗତିହୀନ ଛୋଟ ଏକ ବର୍ତ୍ତମାନ ଧରି

ଗଳି ପରେ ଗଳି ଡେଇଁ କୁଢ଼ କୁଢ଼ ବାଲି ଡେଇଁ ଡେଇଁ

ମୁଁ ଆଜି ଚାଲିଚି ଖୋଜି ତାରା ଆଉ ଜହ୍ନରାତି ଚୁପ୍‌ଚୁପ୍‌ ପବନର କଥା

କୁଢ଼ କୁଢ଼ ଅଙ୍ଗାର ଓ ଅନ୍ଧାରର ସୁଡ଼ଙ୍ଗ ସେ ପାଖେ

ଆଇସ୍‌କ୍ରିମ ଲେମନେଡ଼୍‌ ଝରଣାର ନିରକ୍ତ ମମତା ।

ହେ ଅକ୍ରୂର, ହେ ଉଦ୍ଧବ ସଖାମୋର ପ୍ରାଣର ଦୋସର

ରୁହ ରୁହ ଛିଡ଼ାହୁଅ ପିଠିରେ ମୋ ତୁମପରି ବୋଝ

ଅନ୍ଧାରରେ ପାଦ ଯେବେ ଛନ୍ଦିଦିଏ ଗୁଡ଼କଙ୍କ ନଟା

ଶୁଖେ ଛାତି ଭାଙ୍ଗେ ହାଡ଼ ବଢ଼ି ଉଠେ ବଢ଼ି ଉଠେ ଶୋଷ । ।୪୦।

 

ମନେପଡ଼େ ଦେଢ଼ବର୍ଷ ତଳେ

ପ୍ରେମରେ ମୁଁ ପଡ଼ିଥିଲି ପଞ୍ଚମରେ ଶୁତ୍ର ଅବା ଶନି

ନବମରେ ବୃହଷ୍ପତି କେଉଁ କ୍ଷେତ୍ରେ ରାହୁ ପୁଣି ଚନ୍ଦ୍ରର ଚଳନ ?

ଲଞ୍ଜା ତାରା ଯଦି ଆସେ

ଆକାଶରେ ଜହ୍ନଯାଏ ହଠାତ୍‌ ଲାଲ ହୋଇ

ଖଡ଼ିରତ୍ନ କହିଥିଲେ ଜ୍ୟୋତିଷ ସେ ସପ୍ତ ପୁରୁଷର

ପଶ୍ଚିମରୁ ଯେ ଆସିବ ନାରୀ ଅବା ଅର୍ଦ୍ଧନାରୀ କିମ୍ବା ଖଞ୍ଜ ବିକୃତ ପୁରୁଷ

ବାମ ଅଙ୍ଗ ପଙ୍ଗୁ ତାର ବର୍ଣ୍ଣ ହେବ ଈଷତ୍‌ ପିଙ୍ଗଳ

ତା ସହିତ ସହବାସ ଅବା ଉପବାସ

କଦାଚିତ୍‌ ନ କରିବ, ଚକ୍ଷୁହାନି, ଅଙ୍ଗହାନି, ହାନି ହେବ ଆୟୁଷ ତୁମର ।୫୦।

 

ପ୍ରେମରେ ମୁଁ ପଡ଼ିଥିଲି, ମ୍ଳାନ ଜହ୍ନ ବଉଦ ଭିତରେ

ଆଉ ନଈ ପଠା ଚୁମି ରୋମାଞ୍ଚିତ ରୋମାଞ୍ଚିତ ଢେଉ

ସେ ଦିନ ରାତିରେ ଯେବେ ତୁମେ ମୁଁ ଫେରିଲୁ ଘରକୁ

ଅସ୍ତବ୍ୟସ୍ତ ସେ ବେଣୀରେ ପଡ଼ିଥିଲା ଶାନ୍ତ ହୋଇ ଢେଉ

ରାତିର କାକର ସବୁ ଥଣ୍ଡା ହୋଇ ଏକଜୁଟ ହୋଇ

ତୁମର ଆଖିର ତଳେ ବାନ୍ଧିଥିଲା ଜମାଟ ବରଫ

ମୁଁ କହିଲି ଭଲପାଅ, ଭଲପାଅ ସତେ ଭଲ ପାଅ

ମୁଁ ଶୁଣିଲି କାନରେ ମୋ ହାଡ଼ ଆଉ ମାଂସର ସ୍ପନ୍ଦନ

ମୁଁ ଦେଖିଲି ବାମ ଅଙ୍ଗ ପଙ୍ଗୁ ମୋର ଈଷତ୍ ପିଙ୍ଗଳ । ।୬୦।

 

ଏ ସହର ମୁହଁ ପରେ ଗୋଳି ଗୋଳି ପାଉଁଶ ଅଙ୍ଗାର

ରାତିର କୁହୁଡ଼ି ଚାଲେ ବାଟବାରି ଗଳି ଗଳି ସଡ଼କେ ସଡ଼କେ

ରାତିର ଅଫିମ ନିଶା ଜାକି ଜୁକି ଯେବେ ଘୋଟିଆସେ

ସଙ୍କୁଚିତ ଡେଣାକରି ଯେବେ ଆସେ ଓହ୍ଲାଇ ଆକାଶ

ମୁଁ ଭାବିଲି ଏତେ ଲୋକ ଏତେ ମାଂସ ଏତେ ସ୍ୱାଦୁ କଳା ଧଳା ସାନ ବଡ଼

ଏତେ ହାତ ଗୋଡ଼ର ସମଷ୍ଟି

ଇତିହାସ କାଗଜରୁ ଅବା କାର ଖିଆଲ୍‌ ଭିତରୁ

ଏମାନେ ଆସିଲେ କାହୁଁ ଝରଣାର ପାଣି ଖୋଜି

ଏତେ ଭୂତ ଭବିଷ୍ୟତ ଗୋତ୍ରହୀନ, ଗାତ୍ରହୀନ ଏ ଅଦ୍‌ଭୂତ ପଙ୍ଗପାଳ ଗୋଷ୍ଠୀ

ସଡ଼କ ଧୂଳିରେ ଛାତି ଧଇଁମାରେ ଇଟାଚୂନ ଚଟାଣ ଉପରେ

ଆଖି ଯେତେ ମାଡ଼ଖାଏ ରେଳଷ୍ଟେସନ୍‌ ଡାକଘର ଆଡ଼େ ।୭୦।

 

ତଣ୍ଟି ଯେବେ ଶୁଖିଯାଏ, ରିକ୍‌ସା ଗାଡ଼ି ଘୋଡ଼ାଗାଡ଼ି ଚଢ଼ି

ଆତ୍ମା ଯେତେ ଏ ସନ୍ଧ୍ୟାରେ ଯାଏ ଯାଏ ନଈକୂଳ ବୁଲି

ଏ ସବୁ ସତ ନା ମିଛ ବର୍ତ୍ତମାନ ଆଜି ଅବା କାଲି ?

ଏ ରାସ୍ତାରେ ବର୍ତ୍ତମାନ, ପୋଲ ତଳେ ଗଛମୂଳେ କେନାଲ୍‌ ପାଣିରେ

ଏତେ ମୁହଁ ଛାଇପଡ଼େ, ନାକ ନାହିଁ କାନ ନାହିଁ, ନାହିଁ କିଛି ମୁହଁର ଆକାର

ଥଣ୍ତା ଆଖି ଡୋଳା ତଳେ ଖାଲି ବ୍ୟର୍ଥ ଅବ୍ୟକ୍ତ ବିଷାଦ

ଟାଇ କୋଟ୍‌ ପେଣ୍ଟ୍‌ ଅବା ଗାନ୍ଧୀ ଟୋପି ସିଲ୍‌କ ଶାଢ଼ି ତଳେ

ଖାଲି ବ୍ୟର୍ଥ ବ୍ୟକ୍ତହୀନ କୀଟ ଆଉ ପତଙ୍ଗ ଶବଦ ।

ସ୍ମାର୍ତ୍ତଦାସ ଇଞ୍ଜିନିୟର ଛିଡ଼ାହୁଏ କାର୍‌ ରଖି ସାକାର ଓ ପୁଣି ନିରାକାର

ପ୍ରତିମା ନାୟକ ହସେ ତା ଦେହରେ କଳା ଶାଢ଼ି ରୁଜ୍‌ ଆଉ ବ୍ରଣର ବିକାର ।୮୦।

 

ତା ଓଠର ଲାଲ ଛେପ ନମସ୍କାର୍‌ ନମସ୍କାର୍‌ ସାର୍‌

ସ୍ମାର୍ତ୍ତଦାସ ଛିଡ଼ାହୁଏ ହଠାତ୍‌ ନିଜକୁ ଚିହ୍ନି ମିନତି ନାୟକ ଆସେ ମଲ୍ଲୀଫୁଲ ଫୋପାଡ଼ି ଫୋପାଡ଼ି

ସହର ଉପରେ ଯାଏ ଭାସି ଭାସି ଅସରନ୍ତି ଧୂସର ବଉଦ

ଧୂସର ଏ ଆକାଶରେ ନେଶିହୋଇ ରହିଯାଏ ପ୍ରତିମା, ମିନତି, ମୀରା

ରୁଜ୍‌, ବ୍ରଣ, ଚକୋଲେଟ୍‌, ଲାଲ ଛେପ ରହିଯାଏ ଦାଗ

ସ୍ମାର୍ତ୍ତଦାସ ଛିଡ଼ାହୁଏ କାରରଖି କାନଡ଼େରି ଶୁଣେ

ସମୟର କ୍ଷୟକାଶ ଶ୍ରାବଣର ଝିପି ଝିପି ମର୍ମାନ୍ତିକ ଚେଷ୍ଟାର ଶବଦ ।

***

 

(ଦୁଇ)

 

ଏ ବର୍ଷାରେ ଆଶା ଅଛି, ଆଶୀର୍ବାଦ ଅଛି ସ୍ୱାସ୍ଥ୍ୟ ନିରୋଗ ବିଶ୍ରାମ

ନିଘୋଡ଼ ଅନ୍ଧାର ତଳେ ଅଛି ବୁଢିଅସୁରୁଣୀ ଭୂତକଥା ବାଘକଥା ଅଛି ବୁଢ଼ିମାଆ

ଏ ବର୍ଷାର ଦେହ ତଳେ ଅଛି ଅଛି ଧାନ କ୍ଷେତ ଅଛି ଅଛି ଆମ୍ବ ତୋଟା ।୯୦।

 

ଦୂର ନଈ ଆର ପାରି ଗାଆଁ

କାଗଜଫୁଲରେ ଛାଇ ଦେହ ଘଷି ଗାଢ଼ ହୁଏ ......

(ଝରକା ସେ ପାଖେ)

ଆସୁଚି ବାହାରେ ବର୍ଷା ଡେଇଁ ଡେଇଁ ଛାତରୁ ଛାତକୁ

ଟେବୁଲ୍‌ ଉପରେ ଯେତେ ଛବି ବହି, ମ୍ୟାଗାଜିନ୍‌, ନାଲି ନେଳି ଟିଣ ଡବା, ଚିକ୍‌ ଚିକ୍‌ ବୋତଲ ଉପରେ

ନାଁ ଆଉ ଟ୍ରେଡ଼ ମାର୍କ, ପଢ଼ିହେଉ ନାହିଁ

ସେତେବେଳେ ସୁଇଚ୍‌ ଟିପି ସେ ଆସି ବସିଲା ଆସ୍ତେ ଟେବୁଲ୍‌ର

ଆରିଶି ସାମ୍ନାରେ ।

ତା ଦେହ ଉପରେ ସ୍ୱପ୍ନ କ୍ଲାନ୍ତି ପୁଣି ଆଲୁଅର ମ୍ଲାନ ଇନ୍ଦ୍ରଜାଲ

ଅସଂଯତ ବେଣୀ ମୂଳେ ହଳଦିଆ ରିବନ୍‌ରେ ତେଣୁ ଲାଗେ ଶ୍ରାବଣ ସନ୍ଧ୍ୟାରେ ।୧୦୦।

 

ଆର୍ଦ୍ର ଏକ ଶିହରଣ, ଆଉ ତାର ସ୍ତବ୍‌ଧ ଛାତି ତଳେ

ଶ୍ରାବଣ ଆକାଶ ନଏଁ ଭାରିହୋଇ, ଆସେ ଆଶା ଆସେ ଅଭିସାର

ତା ଓଠର ଚାରିପାଖେ ସେଥିପାଇଁ ଖେଳିବୁଲେ ବିରକ୍ତିର ଫିକାହସ ଆଉ କ୍ଲାନ୍ତି

ଧାରା ଶ୍ରାବଣର ।

ବାହାରେ ଡାକିଲା ବର୍ଷା.......

କବାଟରେ ପବନ ବା ହାତମାରି ଠେଲିଦେଇ ଗଲା

ରାସ୍ତାରେ ବା ଘୋଡ଼ା ଗାଡ଼ି ? ମଟର ହର୍ଣ୍ଣ ? ଜୋତା ମାଡ଼ି କିଏ ଆସି ରାସ୍ତାରେ ବା

ଏଠି ଛିଡ଼ା ହେଲା ?

କିଏ ସେ ଡାକୁଚି ତଳେ ? କିଏ ସେ ବାହାରେ ? ।୧୧୦।

 

ଜୋତା ଶବ୍ଦ ପାହଚ ଉପରେ

ଆଜି ସନ୍ଧ୍ୟା ବର୍ଷା ଭାରି । ଭାରି ବର୍ଷା । ଆଉ ସବୁ ଭଲ ତ ତୁମର ?

ଭଲ ସବୁ । କଣ ଭଲ ? ସବୁ ଭଲ କିଛି ନାହିଁ ଖରାପ ଖବର ।

ଆସ ଆଜି, ତୁମେ ଆସ, ମୁଁ ତୁମର ଅପେକ୍ଷାରେ, ଶ୍ରାବଣର ଛିନ୍ନଭିନ୍ନ ଫୁଲ ଓ କବିତା

ମୁଁ ଯଦିବା ଏତେଦିନେ ତୁମକୁ ପାଇଚି ଖୋଜି ମୋ ଦେହରେ ଜଳିଯାଏ ଆଜି କିନ୍ତୁ ଜୀବନର ଚିତା ।

ଚାଲ ଆଜି ତୁମେ ଚାଲ, ବାହାରେ ବର୍ଷାର ଡାକ, ନୂଆ ଛବି ଆଜି ସିନେମାରେ

ବାହାରେ ମେଘର କ୍ଲାନ୍ତି ଫେରିଆସ ମୋ ପାଖକୁ ।

ପାନଛେପ ଦାଗ ପୁଣି ରୁମାଲ୍‌ରେ ତୁମର ଶାଢ଼ିରେ ?

ତୁମେ ରୁହ ଛିଡ଼ାହୁଅ ଆଲୁଅର କେନ୍ଦ୍ର ଖୋଜି ।

ତୁମେ ଆସି ଛିଡ଼ାହୁଅ ହାତଟେକି ଠିକ୍‌ ମୋର ଛାତିର ସାମ୍ନାରେ ।୧୨୦।

 

 

 

ବାହାରେ କାହାର ଶବ୍ଦ ? ନୁହେଁ ନୁହେଁ କେହି ନୁହେଁ

ବର୍ଷା ଓ ମେଘର ଡାକ ଶବ୍ଦ ପବନର ।

ତୁମେ ଆସି ଛିଡ଼ାହୁଅ କେନ୍ଦ୍ର ଖୋଜି ଆଲୁଅର

ମୁଁ ତୁମର ଦେହଆଡ଼େ ଖୋଜିଯିବି, ଖୋଜିଯିବି ସତ୍ତା ମୋର, ସ୍ଥିତି ମୋର, ଭାର କେନ୍ଦ୍ର ମୋର ଏ ଦେହର ।

ପୁଣି କିଏ ? କାହିଁ କିଏ ?

ଭୁଲ୍‌ ଭୁଲ୍‌ ଭୁଲ୍‌ ଖାଲି ବାହାରେ ତୋଫାନ ବର୍ଷା ଶବ୍ଦ ପବନର

ମୁଁ କିନ୍ତୁ ପାରୁଚି ଶୁଣି ଏହି ବର୍ଷା ଝଡ଼ ତଳେ ହାଡ଼ ଆଉ ମାଂସ ତଳେ ଶବ୍ଦ ସମୟର ।

ଚୁପ୍‌ କିଆଁ ରହିଗଲ, କଥାକୁହ କଥାକୁହ, ଆଜି ଭାରି ନିଛାଟିଆ ଡରମାଡ଼େ- ଜଲ୍‌ଦି କଥା କୁହ ।

ମୁଁ ଶୁଣେ କାନରେ ମୋର, ଠିକ୍‌ ମୋର ପଛଆଡ଼େ

ପାଦ ଶବ୍ଦ ସମୟର, ଗୁପ୍‌ଚୁପ୍‌ କଥା ସମୟର ।୧୩୦।

 

ଏ ବର୍ଷା ସନ୍ଧ୍ୟାରେ ଆଜି କିଛି ଭଲଲାଗେ ନାହିଁ, ଖରାପ ଲାଗେ ଭାରି ଖରାପ

ପ୍ରେମ ଫ୍ରେମ ବାଜେ ସବୁ ତୁମର ଏ ସିଲ୍‌କ କାମିଜ ତୁମର ଏ ଲକ୍‌ସ ସାବୁନ ହସ

କୁହ କୁହ କଥା କୁହ ଚୁପ୍‌ କିଆଁ ରହିଗଲ, କିଛି ଭଲ ଲାଗେ ନାହିଁ, ମାର୍କସ୍‌, ଗାନ୍ଧୀ, ଜଗନ୍ନାଥ ଦାସ ।

ମୁଁ ଆଜି ପଡ଼ିବି ଡ଼େଇଁ ବର୍ଷା ପାଣି ପବନକୁ, ମୁଁ ଯିବି ମୁକୁଳାକରି ବାଳ ମୋର ବୁଲି ଚାରିଆଡ଼

କୁହ କୁହ କଥାକୁହ ଚୁପ୍‌ କିଆଁ ରହିଗଲ ମୁଁ ଯିବି ମଟର ଚଢ଼ି ବାପଘର କିମ୍ବା ଶାଶୁ ଘର ।

ମୁଁ କିନ୍ତୁ ପାରୁଚି ଦେଖି ତୁମର ଏ ପ୍ରେମ ତଳେ ଉତ୍ତେଜିତ ତୁମର ମୁହଁରେ

ନଖ ଚିହ୍ନ ସମୟର ଗୋଲ ଗୋଲ ଆଖିର କୋରଡ଼ ।

 

 

ମୁଁ ତାକୁ କହିଲି ସିଧା ମୁହେଁ ମୁହେଁ ଦେଖ୍‌ ତୁ ବୁଝିପାରୁନୁ

ଜାଣୁଚୁ ଡ଼େପୁଟି କାମ ଦିନ ଦିନ ମାସ ମାସ ରାସ୍ତା ରାସ୍ତା ପଦାରେ ପଦାରେ ।୧୪୦।

 

ସେଥିରେ ତା ଗୋଡ଼ ଯଦି ଖସିଗଲା କେତେବେଳେ ବର୍ଷା ପାଣି ପରିବା ଚୋପାରେ

ତୁ ସିନା ରହିବୁ ଚୁପ୍‌, ମନେ ମନେ ସବୁ ରଖି, ତୁ ସିନା ରିହିବୁ ଚୁପ୍‌ ଅନ୍ଧାରୁଆ ଗଳି ଆଢ଼ୁଆଳେ

ତୁ ଯଦି ସେଥିରେ ଯାଉ ଯୁକ୍ତିକରି କଳି କରି, ସେ ଆସିଲା ମୋ ଘରକୁ ତା ଘରକୁ ।

ସେ ଗଲା ସିରିଏଲ୍‌ ନେଇ କୋଉ ନର୍ସ ମାଷ୍ଟରାଣି ଆଡ଼େ –

ସେ ପୁଣି ତ ଜାଣି ନାହିଁ ପୁଅ ତୋର ନୁହେଁ ତାର, ସେ ପୁଣି ତ ଆସ୍ଥାରଖେ ତୋର ସଫା ଧଳା ସତୀତ୍ୱରେ ।

ସେ ଚାହିଁଲା ମୋଆଡ଼କୁ (ଏଃ ! ଦାନ୍ତ ଯାକ ସବୁ ତାର ଆସିଲାଣି ତଳକୁ ଓହଳି, କିଏ ତାକୁ

କିସ୍‌ ଦେବ ରୁମର ବା ଦୋଷ କଣ ?) ସେ କହିଲା ହସି ହସି ଜାଣେ ଜାଣେ ସବୁ ଜାଣେ

ନାଳକୂଳ, ନଈକୂଳ, ବି:ଏ: ଫେଲ୍‌ ହେଲାପରେ ତୋର ନୂଆ ଶାଢ଼ି ଜୋତା ସବୁର ମୁଁ ଇତିହାସ ଜାଣେ ।୧୫୦।

 

ସେଦିନ ଆସିଲା ବର୍ଷା ଛିନ୍ନଭିନ୍ନ ବିଶୃଙ୍ଖଳ ଅସଞ୍ଜତ ବଉଦର ସୁଅ

ସଡ଼କର ବର୍ଷାପାଣି ପଚାସଢ଼ା ପରିବା ଚୋପାରେ

ସେଦିନ ଫଟାଇ ମେଘ ରାତି ପ୍ରାୟ ସାଢ଼େ ଦଶ୍ ବେଳେ

ଉପରୁ ଓହ୍ଲାଇ ଆସି ଚେକାମାରି ବସିଗଲା ଅଳ୍ପ ଅଳ୍ପ ହସି ହସି

ଫିକା ନେଳି ଜହ୍ନର ଆଲୁଅ

(ଚାରିଆଡ଼ୁ ଲାଇଟ୍‌ ଯେତେ ଦୋକାନର ମୁନିସ୍‌ପାଲିଟିର)

ଘେରିଗଲେ ତାକୁ ଆସି ନାଲିରଂଗ ସବୁ ମୁଠା ମୁଠା ଫୋପାଡ଼ି ଫୋପାଡ଼ି ।

ସେଦିନ ରମୁର ଯେତେ ଫାଜିଲାମି ଦୁଷ୍ଟାମି ଭିତରେ

ପ୍ରଥମ ଥର ମୁଁ ହଠାତ୍ ଲକ୍ଷ୍ୟକଲି ତା ଆଖିର ଗୋଲ ଗୋଲ ନିଆଁ

ବିସ୍ମିତ ମୁଁ ଲକ୍ଷ୍ୟକଲି ବର୍ଣ୍ଣ ତାର ଈଷତ୍‌ ପିଙ୍ଗଳ

ତାପରେ ଲାଗିଲା ମତେ ମୋ ଦେହର ଚମଯାଏ ଧୀରେ ଧୀରେ ତରଳି ତରଳି ।୧୬୦।

 

ବ୍ଲାଉଜ୍‌ର ବୋତାମ ଦେଇ ଯାକିଯୁକି ଲୁଗା ମୋର ମୁହଁ ପୋତି ତକିଆ ଭିତରେ

ଆଖିବୁଜି କରମାଡ଼ି ମୁଁ ପଡ଼ିଲି ଚୁପ୍‌ଚାପ ଶୋଇ ।

ଖାକି ଶାର୍ଟ ପ୍ୟାଣ୍ଟ ଟୋପି ନିଶ ଦାଢ଼ି ପଣତର ଢେଉ

ତା ଭିତରେ ମିଶିଗଲା ଟାଇକୋଟ୍‌ ମଳିମୁଣ୍ଡ ଗାନ୍ଧିଟୋପି ପଗଡ଼ିର ଭିଡ଼

ସିଲକ୍‌ ଶାଢ଼ି ଜୋତା ଛତା ଚୁଟି ଆଉ ବଟୁଆ ଗହଳ

ଧଷାଧଷି ଠେଲାଠେଲି ଅବାସ୍ତବ ଅତି ଅବାସ୍ତବ

ଫିକା ଜହ୍ନ ଆଲୁଅରେ ସ୍ୱପ୍ନ ଦେଖେ ସ୍ୱପ୍ନ ଦେଖେ କଟକ ସହର ।

ମୁଁ ଶୁଣିଚି କେତେଥର ଛିଡ଼ାହୋଇ ବର୍ଷାପାଣି ପରିବା ଚୋପାରେ

ଛକ ଆଡ଼୍‌ ରେଡ଼ିଓରେ ଏସ୍‌ରାଜ ଦିଲରୁବା ସ୍ୱର

ମୁଁ ଶୁଣିଛି ଛିଡ଼ାହୋଇ କେତେଥର ମଝି ସଡ଼କରେ ।୧୭୦।

 

ମୁଆଜ୍ଜିନ୍‌ ଡାକ ଆଉ ରାମନାମ ଖାନନଗରର ।

ହେ ଅକ୍ରୂର ହେ ଉଦ୍ଧବ ସଖା ମୋର ପ୍ରାଣର ଦୋସର

ରୁହ ରୁହ ଛିଡ଼ା ରୁହ ପିଠିରେ ମୋ ତୁମପରି ବୋଝ

ମୁଁ ଯିବି ତୁମରି ପରି ତାରା ଖୋଜି ଜହ୍ନଖୋଜି, ଖୋଜି ଖୋଜି ଝରଣାର ସୁଅ

ମୁଁ ଯିବି ତୁମରି ପରି ଖୋଜି ମୋର ପିତାମାତା ନିର୍ମୂଳି ନଟାରେ ଖୋଜି ଅରୁନ୍ଧତୀ ତାରାର ଆଲୁଅ ।

***

 

(ତିନି)

 

ରମୁର ମରିବା ଦିନ ମେଘ ହଠାତ୍‌ ଛାଡ଼ି ଯାଇଥିଲା

ଛକ କଟା ହେଲା ପରି ରମୁ ପାଇଁ ଖୋଳାହେଲା ଗାଡ଼

କାଠ ଆସି ନଦାହେଲା ତାପରେ ଠିକ୍‌ ଘଣ୍ଟାକ ଭିତରେ

ରମୁର କ୍ୟାଲିକୋ ଧୋତି ଜଳିଗଲା, ପୋଡ଼ିଗଲା ଫ୍ରେଞ୍ଚ୍‌ କଟ୍‌ ନିଶ

ପଞ୍ଚପୁଷ୍ପ ଅମୃତରେ ଏକାଦଶ ଦିନ ଦିପହରେ ।।୧୮୦।

 

ଅସ୍ଥି ତାର ଅଣାଯାଇ ପୋତାହେଲା ପ୍ରେତ ପୁରୁଷରେ

ଖଡ଼ିରତ୍ନ ସଂସ୍କୃତରେ ଦେଲେ ପୁଣି ତାକୁ ଜୀବନ୍ୟାସ ।

ସେଦିନ ରମୁର ପୁଅ ସ୍କୁଲ ପିଲା ଦଶ ବରଷର

ଶ୍ଳୋକ ପଢ଼ି ଲୁହ ପୋଛି ନିଛାଟିଆ ମଶାଣି ଉପରେ

ରମୁକୁ ଫେରାଇଦେଲା ଆକାଶକୁ ପବନକୁ ନିଛାଟିଆ ନଈ ପନ୍ତାରକୁ ।

ତୁମେ ସବୁ ଯେତେ ଅଛ ରମୁର ଦୋସ୍ତ ଓ ୟାର

ପ୍ରଫେସର୍‌, ଇଞ୍ଜିନିଅର, ଡେପୁଟି ବା ପୁଲିସ୍‌ ଚାକିରିଆ

ତୁମେ ସବୁ ଯେତେ ଅଛ ସାନ ବଡ଼ ସରୁ ମୋଟା ଟୋକା ଆଉ ବୁଢ଼ା

ତୁମେ ସବୁ ଜାଣିଥିବ ରମୁ ଥିଲା ତୁମପରି ଛାଁଟ୍‌ କାଟ୍‌ ସିଧା ଓ ସଳଖ

ରମୁ ଥିଲା ତୁମପରି ମୁଲାଏମ୍‌ ଚିକ୍‌କଣ ଓ ଗୋଲ୍‌ ଗାଲ୍‌ ଲମ୍ବା ଓ ଚଉଡ଼ା ।୧୯୦।

***

 

(ଚାରି)

 

ଗୀତ ମୋର ଭାସିଗଲା ସୁଏ ସୁଏ କେନାଲ ପାଣିରେ

ସିଗାରେଟ୍‌ ଖୋଳ ମୋର ଭାସିଗଲା ଥରି ଥରି

ସନ୍ଧ୍ୟା କ୍ରମେ ପାଣି ଫାଟି ମରିଗଲା ଅପନ୍ତରା ଆକାଶ ଭିତରେ

ମୁଁ ଶୁଣିଲି ପଛରେ ମୋ ଛିଡ଼ା ହେଲା କାର୍‌ ଆସି

ସାଧବ ଯୁବତୀମାନେ ଅତି ପ୍ରମୋଦରେ

କାର୍‌ ଚଢ଼ି ଚାଲିଗଲେ ଉଡ଼ିଗଲେ କାଉ ଓ ବାଦୁଡ଼ି

ନିଶବ୍ଦେ ପବନ ଗଲା ପତ୍ର ସବୁ ତୋଳି ତୋଳି

ଇଟାଭାଟି ଧୂଆଁ ଠେଲି କାଠଯୋଡ଼ୀ ଆଡ଼େ ।

ନିଶବଦ ଏ ମୁହୂର୍ତ୍ତ ସ୍ତବ୍‌ଧ ଏବେ ଗତିହୀନ ଘନୀଭୂତ ନିସ୍ପନ୍ଦ ନିଥର

ଯେତେବେଳେ କମିଯାଏ ରୋଗୀ ଘର ଭିତରେ ଆଲୁଅ ।୨୦୦।

 

ଯେତେବେଳେ ମରିଯାଏ କଳରୋଳ ଫୁଟବଲ୍‌ ପଡ଼ିଆ ଉପରେ

ଯେତେବେଳେ ହାତମାରି ଥୁଣ୍ଟା ଗଛ ମୂଳେ ମୂଳେ ଶିଏ ଶିଏ କୋରଡ଼ ଭିତରେ

ଅଶାନ୍ତ ପ୍ରେତାତ୍ମା ଏହି ଅନ୍ଧାରର କାହାକୁ ବା ଖୋଜି ଖୋଜି ଯାଏ

ସେତେବେଳେ ବୋଷ ବାବୁ ସହରର ବ୍ୟବସାୟୀ

କାର ଚଢ଼ି ଚାଲିଗଲେ ପଛଆଡ଼େ ରଖିଦେଇ ଆମର ଏ ଏକତାଲା ଘର

ସେତେବେଳେ ଝରକାରେ ମୁଁ ରହିଲି ଖାଲି ଚାହିଁ

ବେଣୀରେ ନ ଥିଲା ଫୁଲ ବ୍ରେଷ୍ଟ ଟାଇଟ୍‍ ନ ଥିଲା ଛାତିରେ

ବାପା ଥିଲେ କଚିରୀରେ ବୋଉ ଗଲା ଧାର ମାଗି

ତିନିଦିନ ପରେ ରଜ ଭାଇ ଥିଲେ ଡ଼ାକ୍ତରଖାନାରେ ।

ଅରଣ୍ୟର ଅଜଗର ମୁଁ ରହେ ଅର୍ଥବ ସ୍ଥିର । ।୨୧୦।

 

ମୁଁ ସହେ କଷଣ ଲକ୍ଷ ଦେହ ଆଉ ମନ ଓ ଆତ୍ମାର

ମୋ ଦେହରେ ଲକ୍ଷ ପୁଣି ପୁଷ୍ପବତୀ ଗଣିକାର

ଚନ୍ଦ୍ରଭାନୁ ହୁଙ୍କାର ଓ ଇଷିକାର ଲାବଣ୍ୟବତୀର

ଗୋ ମାଂସର ଗନ୍ଧ ପୁଣି ମଦ ମତ୍ସ୍ୟ ନାରୀ ଗନ୍ଧ

ମୋ ଦେହରେ ପୃଥିବୀର ଯାଯାବର ଆଲୋକ ଅନ୍ଧାର ।

ଜେଲ୍‌ଖାନା ପାଚିରିରେ ଆଉଜାଇ ପିଠି ମୋର ଚାପିରଖି ରୁମାଲ ଆଖିରେ

ମୁଁ କାନ୍ଦିଲି ଯେତେବେଳେ ପିତୃ ମାତୃ ବନ୍ଧୁହାନି ଆୟୁ କ୍ଷୟ ବଂଶ କ୍ଷୟ

ଦେଶବାସୀ କ୍ଷୟ ପୁଣି ଧନଜନ ଲକ୍ଷ୍ମୀ କ୍ଷୟ ଧର୍ମ ପୁଣି ଗୋବ୍ରାହ୍ମଣ କ୍ଷୟ

ମୁଁ କାନ୍ଦିଲି ଯେତେବେଳେ ସମୟର ଶବ୍ଦ ବାରି

ଜରା ମୃତ୍ୟୁ ବ୍ୟାଧି ପୁଣି ବ୍ୟାଧି ଆଉ ଘାତକର ଭୟ ।୨୨୦

 

ହେ ଅକ୍ରୂର ହେ ଉଦ୍ଧବ ସଖା ମୋର ପ୍ରାଣର ଦୋସର

ରୁହ ରୁହ ଛିଡ଼ାରୁହ ପିଠିରେ ମୋ ତୁମପରି ବୋଝ

ଆଜି ଯେବେ ରାଜ୍ୟ ଯାଏ ରାଜା ଯାଏ ଛାରଖାର ପ୍ରଜା ଓ ପାଟକ

ମୁଁ ତୁମର ଅନୁଗାମୀ ଆଦି ଅନ୍ତ କାହିଁ ବା ବାଟର ?

ସେଦିନ ଆସିଲା ବର୍ଷା ଘନ ଘୋର ଅସଞ୍ଜତ ବଉଦର ସୁଅ

ସେଦିନ ଆକାଶ ଛାଡ଼ି ଅନ୍ଧାର ଆସିଲା ଖସି

ଲାଇଟ୍ ସବୁ ନିଭିଗଲା ଛିଣ୍ତିଗଲା ଟେଲିଫୋନ୍‌ ତାର

ସେଦିନ ତୁମେ ଓ ମୁଁ ବାଟଭୁଲି ଯାଇଥିଲୁ

ପରିଚୟ ଭୁଲିଥିଲୁ ଦେହ ଓ ମନର

ସେଦିନ ରାତିରେ ତୁମେ ଚୁପ୍‌ଚାପ୍‌ ଶୋଇଥିଲ । ।୨୩୦।

 

ସେଦିନ ତୁମର ଥିଲି ମୁଁ ମୋର ସନ୍ତାପ ନେଇ

ତୁମେ ଆଜି ମୋର ନା କାହାର ?

ତୁମେ ଦିନେ ଶୁଣିଥିଲ ଓଙ୍କାର ବା ମାହେନ୍ଦ୍ର ବେଳାରେ

ତୁମେ ଦିନେ ଦେଖିଥିଲ ଗୁପ୍ତ ଗଙ୍ଗା ପଥର ଓ ବରଫ ସ୍ତୂପରେ

ଅବା ଭୁଲ ତୁମେ ମୁଁ ଶୁଣିଥିଲୁ ତାରାରେ ତାରାରେ

ରାତି ଓ ଦିନର ଶାନ୍ତ ଯାତାୟାତ ସ୍ପନ୍ଦନ ବା ଅକ୍ଷତ ଯୋନୀର ।

ହେ ଅକ୍ରୂର ସଖା ମୋର ରୁହ ରୁହ ଛିଡ଼ା ରୁହ ସମ୍ମୁଖେ ତୁମର

ଅନ୍ଧାର ଆସିଚି ଖସି ଆକାଶକୁ ଆବୋରି ପୃଥିବୀ

ପଛରେ ତୁମର ସ୍ତବ୍‌ଧ ବାଲି ଆଉ ବାଲି ପରେ ବାଲି

ନିଶ୍ଚଳ ବାଲିରେ ନଷ୍ଟ ଆଷାଢ଼ର ପ୍ରାଣାନ୍ତ ପ୍ରୟାସ ।୨୪୦।

 

ମୁଁ ତମକୁ ଖୋଜିଥିଲି କେତେ ରେଳ ପୋଲ ଡ଼େଇଁ

କେତେ ଯୁଗ ଯୁଗାନ୍ତର ସିଂହଳ ଓ ମଳୟ ଦ୍ୱୀପରେ

କେତେ ଗଳି କୋଠା ଡ଼େଇଁ ବିବର୍ଣ୍ଣ ପଥର ସ୍ତୂପ ବାରବାଟି ପାଚିରି ଭିତରେ

ଗଡ଼ଖାଇ ତଳେ କେତେ ସୁଡ଼ଙ୍ଗ ଓ ଅରମା ଭିତରେ

ତୁମକୁ ଖୋଜିଲି ପୁଣି ଚଉଦ୍ୱାର ବାଙ୍କି କଟକରେ ।

ଦେଶର ଜନତା ମୋର ମୋ ଦେଶର........

ସଡ଼କର ବର୍ଷାପାଣି ପଚା ପରିବା ଚୋପାରେ

ମୁଁ ଆଜି ପାଏ ନା ଖୋଜି ପାଦ ଚିହ୍ନ ନିଶବଦ ପ୍ରାଚୀ ତୀରେ ତୀରେ

ମୁଁ ଆଜି ପାରେ ନା ଶୁଣି ପଦଧ୍ୱନି ମଣିଷର

ନିଛାଟିଆ ବାଲିରେ ବାଲିରେ ।୨୫୦।

 

ମୁଁ ଆଜି କେବଳ ଶୁଣେ ଛିଡ଼ାହୋଇ ରାଣିହାଟ ପଥର ପୋଲରେ

ଅସଂଖ୍ୟ ଛାୟାର, ଏତେ ଯାତାୟତ ଆଷାଢ଼ର ପ୍ରାଣାନ୍ତ ପ୍ରୟାସ

ମୋ ଦେଶର ନରନ୍ନ ଜନତା ..........

ସହର ଉପରେ ଯାଏ ଭାସି ଭାସି ଧୂସର ବଉଦ

ଛାତରୁ ଛାତକୁ ଡ଼େଇଁ ବର୍ଷା ଯାଏ ପାରିହୋଇ ଗଳି ଗଳି ମେନ୍‌ ରୋଡ଼୍‌ ସବୁ

ଉଦ୍ୟତ ଏ ଆଷାଢ଼ର ଧୂସର ସ୍ୱପ୍ନରେ

ପବନ କେବଳ ଯାଏ ନିଜକଥା କହି କହି

କ୍ଲାନ୍ତି ଆଉ କ୍ଲାନ୍ତି ପୁଣି ଏ ଗ୍ରହର ସ୍ତୂପ ସ୍ତୂପ ଭଗ୍ନ ବିଗ୍ରହର ।

ଆଜି ଯଦି ପଦ୍ମ ଫୁଟେ ପୁଷ୍ପବତୀ ହୁଏ ଯଦି ନାରୀ

ରମୁ ପାଇଁ ରୁହେ ଖୋଲା ମଦଖଟି ଦେଶୀ ଓ ବିଲାତୀ ୨୬୦

 

ଆଜି ଯଦି ସନ୍ଧ୍ୟା ଫୁଟେ ନାଲି ଅବା ସଫେଦ ଗୋଲାପ

ରମୁ ଦିନେ ଛାଡ଼ିଥିଲା ସ୍କୁଲ କଲେଜ ଦେଇଥିଲା ଚାକିରି ଇସ୍ତଫା

ରମୁ ଦିନେ ମିଲ୍‌ ଛାଡ଼ି ପିନ୍ଧିଥିଲା ଖଦଡ଼ ଓ ଦେଇଥିଲା ସଭାରେ ବକ୍ତୃତା

ରମୁ ଦିନେ ଖୋଜୁଥିଲା ମୁକ୍ତି ପୁଣି ଦେହ ଆଉ ମନର ବିସ୍ତୃତି

ରମୁ ଦିନେ ଠିକ୍‌ ଥିଲା ତୁମପରି ଛାଁଟ୍‌କାଟ୍ ସିଧା ଓ ସଳଖ ।

ଦେଶର ଜନତା ମୋର ଦେଶର ନିରନ୍ନ ଜନତା.......

***

 

(ପାଞ୍ଚ)

 

ମଶାଲ ଆଲୁଅ ସବୁ ନିଭିଗଲା ଗୋଟି ଗୋଟି

ନାରିକେଳ, ତାଳବଣ, ତିବ୍‍ତର ବରଫ ଉପରେ

ପ୍ରାଚୀ ନଦୀ କୂଳେ କୂଳେ ବାଲିଚର ମାଡ଼ିଗଲା ପରେ

ଆଳତି ଘଣ୍ଟାର ଧ୍ୱନି ଚୁପ୍‌ ହେଲା ଯେତେବେଳେ ।୨୭୦।

 

ଉଜ୍ଜୟିନୀ ଓ ଦନ୍ତପୁରୀରେ

ତାଳପତ୍ର ପୋଥି ଆଉ ଶିଳାଲିପି ଭାରତର

ଚାରିଆଡ଼େ ପଢ଼ାହେଲା ପରେ

ତୁମେ ମୁଁ ଆମେ ସବୁ ଆଜି କରୁ କାହାର ଅପେକ୍ଷା

ନିଚ୍ଛାଟିଆ ଆମର ଏ ଟେବୁଲ ବେଞ୍ଚ ଛୋଟ ଛୋଟ କୋଠରି ଭିତରେ ?

ଯେ ଯିବାର ଚାଲିଗଲା ପାଦଚିହ୍ନ ଖୋଜି ଖୋଜି ତାର

ତୁମେ ମୁଁ ଆମେ ସବୁ ସମୟର ଏତେ ନଈ ଏତେ ପୋଲ ପାରିହୋଇ ଆସି

କାହାର ଅପେକ୍ଷା କରୁ ବାଲି ଆଉ ବିବର୍ଣ୍ଣ ଘାସରେ

କାହାର ଆହତ ଦେହ ରକ୍ତହୀନ ହୋଇଆସେ

କାହାର ବିବର୍ଣ୍ଣ ଦେହ କ୍ଷୟମାନ ବାଲି ଆଉ ବିବର୍ଣ୍ଣ ଘାସରେ ।୨୮୦।

 

ନିଶବ୍ଦ ଏ ବାଲିଚର ବାଲି ଆଉ ବାଲି

ବିବର୍ଣ୍ଣ ଘାସ ଓ ବାଲି ପଥହୀନ ବିବର୍ଣ୍ଣ ପୃଥିବୀ

ଉପରେ ନିସ୍ତେଜ ଖରା ପଥହୀନ ବିବର୍ଣ୍ଣ ଆକାଶ

ବିବର୍ଣ୍ଣ ବାଲି ଓ ଘାସ ଶେଷହୀନ ଶୋଷ ଆଉ ଶୋଷ

ନିସ୍ତେଜ ଧୂସର ସ୍ତବ୍‌ଧ ବାଲି ପୁଣି ବାଲି ଓ ଆକାଶ

ଯଦିବା ଚେତନା କେବେ ଫେରିଆସେ ଅକସ୍ମାତ୍‌ ନିସ୍ତେଜ ଚେତନା

ଝିଙ୍କାରିର ଭୋକ ଅବା ପବନର କ୍ୱଚିତ୍ ଚେତନା

ଉଇହୁଙ୍କା ମୂଳେ ମୂଳେ ଥୁଣ୍ଟାଗଛ କୋରଡ଼ ଭିତରେ

ଯଦିବା ଚେତନା ଫେରେ, ଅସ୍ଥି ମାଂସ ଚମରେ ବା

ଗୁଡ଼କଙ୍କ ଘାସର ଚେତନା ।।୨୯୦।।

 

ଯଦିବା ଚେତନା ଫେରେ

ବାଲି ଆଉ ବାଲି ପୁଣି ଘାସ

ଘାସର ବିଛଣା

ଛୋଟ ଛୋଟ ଢେଉ ଆଉ

ସାନ ସାନ ମାଛର ଝରଣା

ଝରଣା

ଘାସ ଓ ମେଘ

ମେଘ ଓ ମୟୂର

ଝିଙ୍କାରୀର ଭୋକ ନୁହେଁ

ଶୋଷ ନୁହେଁ ହତାଶ ବାଲିର ।।୩୦୦।।

 

ଚେତନା ଯଦିବା ଫେରେ କାନନ ଓ ଉପବନ ପରେ

ଅସଂଯତ ନୀଳବେଣୀ ତ୍ରସ୍ତନୀଳ ଆଖିପତା ତଳେ

ଆଷାଢ଼ ବର୍ଷାର ମ୍ଲାନ ସ୍ୱପ୍ନ କେଉଁ ତାପସ କନ୍ୟାର

ଚେତନା ଯଦିବା ଫେରେ କୁରୁବକ କଦମ୍ବରେ

ହୋମ ଅଗ୍ନି ପରେ

ସକାଳର ଆକାଶରେ ବୀଣା ଅବା ଧ୍ୱନିତ ଝଙ୍କାର

ଚେତନା ଯଦି ବା ଫେରେ

ଯଦି ଫେରେ ମୁମୂର୍ଷୁ ଦେହରେ

ଥୁଣ୍ଟା ଗଛ ମୂଳେ ମୂଳେ

କୋରଡ଼ ଭିତରେ ।।୩୧୦।।

 

ଝିଙ୍କାରୀର ଶୋଷ ନୁହେଁ ....

ପାଣି ନୁହେଁ ମେଘ ନୁହେଁ ବାଲି ଆଉ ଖାଲି ବାଲିଚର ।

କିଏ ତୁମ ପାଖେ ପାଖେ କିଏ ତୁମ ଆଗରେ ପଛରେ

ଚାଲୁ ଚାଲୁ ତୁମେ ଯଦି ଠିଆହୁଅ ହଠାତ୍‌ ବାଲିରେ

ମୁଁ ଗଣେ ତୁମେ ଓ ମୁଁ ଏକ ଦୁଇ ଆମେ ଦୁହେଁ

କିଏ ତୁମ ପାଖେ ପାଖେ ନିଛାଟିଆ ଏ ବାଲି ଭିତରେ

ନାହିଁ ଗୋତ୍ର ପରିଚୟ ନାହିଁ ରେଖା ଆକାର ପ୍ରକାର

ନାରୀ ବା ପୁରୁଷ ଅବା ନପୁଂଷକ ଅବା ବନ୍ଧ୍ୟା ପୃଥିବୀର ଶୋଷ

କାହାର ଆହତ ଦେହ ହତ ହୁଏ ଏ ବାଲିରେ ।।୩୨୦।।

 

କିଏ ତୁମ ପାଖେ ପାଖେ ପ୍ରେତାତ୍ମା ବା ମାଟିର ମଣିଷ ।

କାହାର ପାଦର ଶବ୍ଦ ନେପଥ୍ୟରେ ଦଳିତ ଓ ଆହତ ପୃଥିବୀ

ଭିକ୍ଷୁ ଓ ଶ୍ରମଣ ଅବା ମରହଟ୍ଟା ମୋଗଲ ପଠାଣ

କାହାର ରଥର ଚକ୍ର ସମବେତ ଅଶ୍ୱ ହସ୍ତି ଅବା ପଦାତିକ

ସନ୍ଧ୍ୟାର ଶୋଣିତ ମନ୍ଥି ଆକାଶର ଦେହରେ ଦେହରେ

ହଠାତ୍‌ ବା ଫୁଟିଉଠେ ଚକ୍ରଘଟ ତ୍ରିଶୂଳ ନିଶାଣ

ଅକସ୍ମାତ୍‌ ସ୍ତବ୍‌ଧ ହୁଏ ଅଭିଭୂତ ଅବାକ୍‌ ପୃଥିବୀ

ମଶାଲ ଆଲୁଅ ଗଲା ନିଭି ନିଭି ଆକାଶ ଉପରେ

ବାଲିପରେ ବାଲିଡ଼େଇଁ ଦେହପରେ କେତେ ଦେହ ଡ଼େଇଁ

ମୁଁ ଆଜି ଅପେକ୍ଷାକରେ ସୂର୍ଯ୍ୟର ଉଦୟ ପୁଣି ବର୍ଷା ଆଉ ମେଘର ଉଦୟ ।।୩୩୦।।

 

ମୁଁ ଆଜି ତଥାପି ଖୋଜେ ଆଦି ଜନ୍ମସ୍ଥାନ ମୋର

ମୋର ଆଦି ପିତାମାତା ଅରୁନ୍ଧତୀ ତାରାର ଆଲୁଅ ।

ଏକ ଦେହେ ଜନ୍ମନେଲି ପୁରୁଷ ମୁଁ ସେହି ଦେହେ ନାରୀର ଶୃଙ୍ଗାର

ମୋ ପାଖେ ଏକାଠି ହେଲା ସିଲ୍‌କ ଶାଢ଼ି ପେଣ୍ଟ କୋଟ୍ ଧ୍ୱଜଭଙ୍ଗ ପ୍ରସୂତି ଯନ୍ତ୍ରଣା

ମୁଁ କାନ୍ଦିଲି ଯେତେବେଳେ ଯାଜପୁର କଟକରେ, ରାଜାଙ୍କର ଇଳା ନାମେ

ଏକମାତ୍ର ପୁତ୍ର ଓ ଦୁହିତା ....

ଆହେ ରାଜା ପରୀକ୍ଷିତ ତକ୍ଷକର ଦଂଶନେ ତୁମର

ଦେହାନ୍ତ ହେଲାତ ରାଜା ପ୍ରାୟଶ୍ଚିତ ଗୋଟିଏ ପାପର

କିନ୍ତୁ ମୋର ସମ୍ମୁଖରେ ଏ ବିଚିତ୍ର ଏକ ପାଦ ବିଶିଷ୍ଟ ବୃଷଭ

ପୁଣି ଏହି ଭଦ୍ରଲୋକ ଧଳାଧୋତି ପଞ୍ଜାବୀ ।।୩୪୦।।

 

ଓ ଧଳା ଟୋପି ଧଳାକାର ବର୍ଣ୍ଣ ପୁଣି ଈଷତ୍‌ ପିଙ୍ଗଳ

ଯଷ୍ଟିର ଆଘାତ ଆଉ ବୃଷଭର ଆର୍ତ୍ତନାଦ .....

ଏ କାଳ ତୀର୍ଥରେ ରାଜା ଶେଷକ୍ରିୟା ସମାପ୍ତ ତୁମର ।

ହେ ଅକ୍ରୂର ସଖା ମୋର ପ୍ରିୟ ମୋର ପ୍ରାଣର ଦୋସର

ରୁହ ରୁହ ଛିଡ଼ା ରୁହ ତୁମେ ଖୋଜ କାହାର ଆଶ୍ରୟ

ସଂଘର ଆଶ୍ରୟ କାହିଁ, ଏ ବାଲିରେ ଭୋକ ଆଉ ଭୋକ

କିଏ ତୁମ ମାତା ପିତା ଏ କାହାର ଅସ୍ତ ବା ଉଦୟ ?

ରାମକୃଷ୍ଣ ମିଶନରୁ କେତେବାଟ ଏମାର ମଠକୁ ?

ମୁଁ କେତେ ଚାଲିଚି ବାଟ ଦିଗରୁ ଦିଗନ୍ତ କେତେ ନଷ୍ଟ କେତେ ତରାରେ ସ୍ୱପ୍ନରେ

ମୋ କନ୍ୟାର ଦେଶଦ୍ରୋହ,

କନ୍ୟାଦ୍ରୋହ ମୋ ପିତାର ଶତଶତ ଭ୍ରାତୃଦ୍ରୋହ ପରେ ।।୩୫୦।।

 

ମୁଁ ଆଜି ତଥାପି ଚାଲେ ପିତୃହନ୍ତା ଆତ୍ମା ମୋର

ରୋମ ଆଉ ବେବିଲୋନ୍‌ ମିଶରର ପ୍ରେତାତ୍ମା ସହିତ............

ଅନ୍ଧାର ଯଦି ବା ଆସେ ଘେରି ରେଖା ଆକାର ପ୍ରକାର

ମାଂସ ଲୋଭି ଭଦ୍ରଲୋକ ଧଳା ଧୋତି ପଞ୍ଜାବୀ ଓ ଧଳା ଟୋପି ଧଳାକାର.....

ମୋ ଦେହରେ ଦାନ୍ତ, ନଖ, ଶତ ଶତ ଚଞ୍ଚୁର ଆଘାତ ।

ରାମକୃଷ୍ଣ ମିଶନରୁ କେତେବାଟ ଏମାର ମଠକୁ ?

ବର୍ଷା କେବେ ଆସିଥିଲା ତାମ୍ରଲିପ୍ତ ଚରିତ୍ର ଓ ସିଂହଳ ଦ୍ୱୀପରେ

ବର୍ଷା କେବେ ଫେରୁଥିଲା ବରୁଣାବନ୍ତରୁ ଦିନେ ନୂଆଦିଲ୍ଲୀ,

କଲିକତା, କଟକର ସଙ୍କୀର୍ଣ୍ଣ ବାଟରେ.....

ଆଜି ତେଣୁ କ୍ଲାନ୍ତି ଯେବେ ଶୂନ୍ୟତା ଓ କାଠଯୋଡ଼ୀ ବାଲିର ବ୍ୟର୍ଥତା

କାଗଜର ବିବରଣୀ, ଶୋକ ସଭା ସଂକ୍ଷିପ୍ତ ଜୀବନୀ ।।୩୬୦।।

 

ସ୍ମୃତି ସଂଖ୍ୟା ସମାଜ ବା ସ୍କୁଲ କଲେଜ ପାର୍କ ଲାଇବ୍ରେରୀ ..............

ତା ଆଗରୁ ତୁମେ ଓ ମୁଁ ଏହି ଦୃଷ୍ଟି ସୀମିତ ବିବର୍ଣ୍ଣ........

ଧୂସର ଆକାଶ ମନ୍ଥି ସନ୍ଧ୍ୟାଆସେ ଅବା ଆସେ ସାତ୍ତ୍ୱିକ ଶ୍ରାବଣ

ଆମର ଅପେକ୍ଷା ରହେ ପାର୍ଟି ଆଉ ନିର୍ବାଚନ

ଦୂଷିତ ଆତ୍ମାର ଖେଦ ଜୀବନର ଦୂଷିତ ଦୁଃସ୍ୱପ୍ନ ।

ଜୀବନର ଯେତେ ଗୀତ ଭାସିଯାଏ ବାଲିକୁଦ ଉପରେ ଉପରେ

ଦୀପ ଓ ମଶାଲ କେତେ, କେତେ ଯୁଦ୍ଧ ଧର୍ମଘଟ, ପ୍ରୟୋଗ ଓ ରାମେଶ୍ୱର ପରେ

କେତେ ଯୁଗ ଜନ୍ମ କେତେ ଫୁଟ୍‌ ଲାଇଟ୍‌, ପଦକ ଓ ଏନ୍‌କୋର ପରେ

ପ୍ରାଚୀର ବିବର୍ଣ୍ଣ ବାଲି କୁଢ଼ କୁଢ଼ ଜମିଯାଏ ଭଗ୍ନ କେତେ ମୁଖଶାଳା

ଭଗ୍ନ କେତେ ବିଗ୍ରହର ସ୍ତୂପ .......।।୩୭୦।।

 

ଏ ଗ୍ରହର ନଷ୍ଟ ଯାତ୍ରା ଆଜି ଯଦି ଅନ୍ଧାରରୁ .......

ଏ ଗ୍ରହର ନଷ୍ଟ ଯାତ୍ରା ଆଜି ଯଦି ମରଣରୁ .......

ଏ ଗ୍ରହର ନଷ୍ଟ ଯାତ୍ରା ଆଜି ଯଦି ଅସତରୁ......

ମୃତ୍ୟୁର୍ମାଂ

ଅସତୋ ମା

ତମସୋ ମା

ମୃତ୍ୟୁର୍ମାଂ......ମୃତ୍ୟୁର୍ମାଂ........ମୃତ୍ୟୁର୍ମାଂ

ଅମୃତଂ

ଗମୟ ।।୩୮୦।।

***

 

ଅକ୍ରୂର ଉବାଚ

 

ସନ୍ଧ୍ୟା ଆସେ ଦୂରାଗତ କ୍ଲାନ୍ତ ବାଟୋଇର

ନିସ୍ତେଜ ଆଖିରେ ଆଣି ଅସରନ୍ତି ବାଟର ନିରାଶା ।

ସେଦିନ ଠିକ୍‌ କ୍ଲାନ୍ତି ତାର ଆଖିପତା ଘୋଡ଼ାଇ ସନ୍ଧ୍ୟାର

ଛାଇ ଆଉ ବିଷର୍ଣ୍ଣତା ଭାରିହୋଇ ଆସୁଥିଲା-

ଧୂଳି ଆଉ ଖାଲ ଢିପ, ଦିନକର କ୍ଲାନ୍ତି ଆଉ ଖରା

ଠିକ୍‌ ଠିକ୍‌ ଘୋଡ଼ା ଟାପୁ, ଧୂଳି ଆଉ ଘୋଡ଼ାମୁହଁ ଲଗାମ୍‌ରେ ଫେଣ

ଆଉ ତାର ଥକା ଦେହ ଗଣ୍ଠି ଗଣ୍ଠି ହାଡ଼ ଓ ଚମରେ

ବାଟରେ ନିରାଶା ଆଉ ରକ୍ତମାଂସ ସ୍ନାୟୁର ବିରକ୍ତି ।

 

‘‘ତୁମେ ମୋର ଏ ଦେହର ଚିରନ୍ତନ ଏ ଯାତ୍ରାର ଧୂସର କ୍ଲାନ୍ତିରୁ

ଆଜି କଣ ମୁକ୍ତି ଦେବ ସମୟ ଓ ସମୟର ସଂଗ୍ରାମ ଓ ରକ୍ତପାତଠାରୁ ?

ତୁମେ ଯଦି ମୁକ୍ତି ଦିଅ ମତେ ଆଜି ମୋ ଦେହର ପୁନର୍ବାର ଦ୍ୱିରୁକ୍ତି ଭିତରୁ !

ସାରଥିର ସାର୍ଥକତା ହୁଏତ ଆଜିର ଏହି ଯାତ୍ରାରେ ମୋ ତୁମର ସହିତ

ହୁଏତ ବା ସାର୍ଥକତା ତୁମର ହାତର ଶଙ୍ଖ ଚକ୍ର ଚିହ୍ନ ତଳେ

କିନ୍ତୁ ମୋର ବହୁ ଜନ୍ମ ଜନ୍ମାନ୍ତର କାମ ଲୋଭ ମୋହ ଜରାମୃତ୍ୟୁ ପର

ତୁମର ଏ ଆଶୀର୍ବାଦ ଅନ୍ୟଏକ ପିପାସା ଓ ଏ ଦେହର ଅନ୍ୟ ଉପାଦାନ

ତେଣୁ ମୋର ଭଗବାନ ଏହି ଯାତ୍ରା ଶୁଭ ହେଉ ତୁମର ଓ ମୋର

ପୃଥିବୀର ଏହି ଦେହ ଘୋଡ଼ାଇ ରଖିଚି ଯଦି ତୁମର କାରୁଣ୍ୟ ଆଉ ନିଷ୍ଠୁରତା ।

 

କ୍ଷମା ଆଉ ତୁମର ସଂହାର

ଏଯୁଗର ଏଗ୍ଲାନିରେ ତୁମର ଯଦିବା ଏଠି ସଂଭାବନା

ତଥାପି ଏ ଯାତ୍ରା ମୋର ଶୁଭ ହେଉ ପୂର୍ଣ୍ଣ ହେଉ ତୁମର କ୍ଷମାରେ

ଦେହର ସୀମାନ୍ତ ଡେଇଁ, ପାରିହୋଇ କାରୁଣ୍ୟ ଓ ତୁମର ସଂହାର-’’

ସେଦିନ ସନ୍ଧ୍ୟାରେ ଯେବେ ତା ଦେହର କ୍ଲାନ୍ତି ପାଇଁ ମୁଠାରେ ଲଗାମ୍‌

ତାର ଆସୁଥିଲା ହୁଗୁଳି ହୁଗୁଳି

ଠକ୍‌ ଠକ୍‌ ଘୋଡ଼ା ଟାପୁ ପଥର ଓ ଖାଲ ଡେଇଁ ସେଦିନ କ୍ଲାନ୍ତିରେ

ତାର ଯେତେବେଳେ ଅସହ୍ୟ ନିଷ୍ଠୁର

ତା ଆତ୍ମାର ଅବସନ୍ନ ନିଶବ୍ଦ ବିଳାପ ପରି ସେଦିନ ଆକାଶ ତଳେ ସ୍ଥିର

ଯେବେ ହୋଇଗଲା ।

 

ଅକସ୍ମାତ୍‌ ନିଶବ୍ଦ ପବନ

ସେତେବେଳେ ରଥ ତାର ରାସ୍ତାର ହଠାତ୍‌ ମୋଡ଼ ବୁଲିଗଲା ପରେ

ସାମ୍ନାରେ ଯମୁନା ନଈ ସନ୍ଧ୍ୟାର ଆକାଶ ଧରି

ମାଳତିନଟାର ପାର୍କ, ଆଉ ଗୋପ ବଜାରର ଲୋକଭିଡ଼ ଦୋକାନ ଆଲୁଅ ।

 

‘‘ମୋ ଯାତ୍ରାର କ୍ଲାନ୍ତି କଣ ଶେଷ ଆଜି ଏହିଠାରେ !

ଯୁଗରୁ ଅନେକ ଯୁଗ ମୋ ପାଦର ଦରଜ ଓ ମୋ ଘୋଡ଼ା ଟାପୁର ଧୂଳି

ମୋ ଗାଡ଼ିର ଭଙ୍ଗାଚକ, ମୋ ଆଖିର କ୍ଲାନ୍ତି ଦିଗ୍‌ବଳୟ

ମୋ ସତ୍ତାର ଭ୍ରାନ୍ତି କଣ ଶେଷ ଆଜି ଏହିଠାରେ

ମୋ ମାଂସର ଭୋକ ଶୋଷ ପାପ ପୁଣ୍ୟ

ମୋ ଆତ୍ମାର କାତରତା, ଭକ୍ତି ଆଉ ଅହଙ୍କାର, ଧର୍ମ ଆଉ ମୋକ୍ଷବାଦ

ଆଧ୍ୟାତ୍ମିକ ଚେଷ୍ଟାର ବିଲୟ !

 

ମହାପ୍ରଭୁ ମୁକ୍ତି ଦିଅ-ଏହି ଯାତ୍ରା ଶୁଭ ହେଉ ତୁମର ଦୟାରୁ

ଏହି ଯାତ୍ରା ହେଉ ମୋର ଶେଷଯାତ୍ରା ଏ ଦେହରୁ

ତୁମର ସଂହାର ଡେଇଁ

ବହୁତ ବହୁତ କ୍ଲାନ୍ତି, ପୁନରୁକ୍ତି ଏ ଆତ୍ମାର

ଆଉ ତୁମ ଦୟା କ୍ଷମା କରୁଣାର ସମୁଦ୍ର କୂଳରୁ !’’

***

 

ସିଢ଼ୁଆ

(ଏକ)

 

ଧାନସିଢ଼ି ନଈ ସିନା ଏଠି ନାହିଁ, ଏଠି ଶୀର୍ଣ୍ଣ ସିଢୁଆ ନଈରେ

ରାତି ଭୋର ଅନ୍ଧାରରେ ତାରା ଭାସେ ବିବର୍ଣ୍ଣ ଶ୍ରୀହୀନ

ଏଠି ବାଲି ଅପନ୍ତରା ଡେଇଁ ଘାସ ଗୁଗୁଚିଆ ବଣ

ରାତିରେ ପବନ ଆସେ ଖୋଜି ଖୋଜି ଝରକାରେ ଆଖିପତା ଡିବିରି ଆଲୁଅ ।

 

ଏଠି ମୁଗ କୋଳଥର କିଆରୀରେ ଜହ୍ନଆସେ ନିଛାଟିଆ ଅତଡ଼ା ଉପରେ

ଏଠିବି ଅନ୍ଧାର ଆସେ ଘାରିହୋଇ କୁହୁଡ଼ିରେ

ଏଠିବି ବାଦୁଡ଼ି ଡେଣା କାକାର ଝଡ଼ାଇ ଯାଏ ତୋଟାରେ ନିଶୂନ ରାତି ଚୁପ୍‌ ଚାପ୍‌ ହେଲେ

ଏଠିବି ଏ ମାଟି କେତେ ଭଲପାଏ ମଣିଷକୁ ଅଗଣିତ କାମନାର କେତେ ଆଶା ନିରାଶା ଭିତରେ ।

 

ମୋ ଦେହର କାମ୍ୟ କେତେ ପ୍ରେୟ ମୋର ଏ ମନର ମୋ ଆତ୍ମାର କେତେ ଯେ ପିପାସା

ଏହି ଘାସ କାକର ଓ ଏହି ଧାନ ମହକରେ, ଡାହୁକର ଏ ଡାକରେ ହୁଏତ ବା ରହିଚି ନିହିତ

ତେଣୁ ଯେବେ ସନ୍ଧ୍ୟାବେଳେ ଆଲୁଅ ନରମ ହୁଏ ଛାଇ ଜମେ ଶୁଖିଲା ଛଣରେ

ମୋ କ୍ଲାନ୍ତ ସତ୍ତା ଘେରି ସମୟ ହଠାତ ଆସେ ଅଜ୍ଞାତ ଏ ଅନ୍ଧାରର ପ୍ରଶ୍ନ ଆଉ ବହୁତ ସନ୍ଦେହ ।

***

 

(ଦୁଇ)

 

ଧାନ ସିଢ଼ି ନଈ ସିନା ଏଠି ନାହିଁ ଏଠି ଏହି ସିଢ଼ଆର ଧାର

ତାରା କେତେ ଭାସେ ଆଉ ମେଘ ଭାସେ ମୋ ଆଖିର ଦିଗ୍‌ବଳୟ ଘେରି

ମୋର କ୍ଷୁଦ୍ର ଚେତନାର ଦିଗନ୍ତ ସେପାଖେ ଏହି ପୃଥିବୀର ଋତୁ ଚକ୍ର ଧରି

ଧାନର ମହକ ଯେବେ ଫେରିବ ବା କୁହୁଡ଼ିରେ ଠିକ୍‌ ଆଜିପରି–

 

ସେଦିନ ଯଦି ମୁଁ ଫେରେ ଛୁଇଁଛୁଇଁ ଆମ୍ବଗଛ ବଉଳର କଷି ଆଉ କଢ଼ !-

ସେଦିନ ମୋ ଫେରିବାର ସାର୍ଥକତା କେଉଁଠିବା ? ନିଛାଟିଆ ଏ ନଈତୁଠରେ

ନିଛାଟିଆ ବାଲିଚର ବେଣା ଘାସ ଦେହରେ ବା ନିରର୍ଥକ ମୋର ଏହି ଆତ୍ମାର ଅତୀତ

ସେଦିନ ମୁଁ ଯଦି ଫେରେ– ସାର୍ଥକତା କେଉଁଠିବା ଶାନ୍ତି କାହିଁ ମୋର ଏହି ଭଲପାଇବାର ?

 

ମୋର ଭଲପାଇବାରେ ଏ ବାଟର ବିଷଣ୍ଣତା ଆଉ ଏହି ପାଦଚିହ୍ନ ସବୁ

ଖାଲିପାଦ ଚିହ୍ନ କେତେ ଯୋତା ଓ ଖଡ଼ମ୍‌ ଦାଗ ସାଇକଲ୍‌ ଚକ ଦାଗ କେତେ

ଛୋଟ, ଉଞ୍ଚ, ଗୋଲ୍‌ ଗାଲ୍‌ ମୋଟ ସୋଟ ଯେତେ ସବୁ

ଏ ବାଟରେ ଗଲେ ଭାରି ନିଶମୋଡ଼ି କ୍ୟାନ୍‌ଭିସ୍‌ ଯୋତା ଦାଗ ରଖି

ଟାଟା ଆଉ କଲିକତା ଗଡ଼ଜାତ ଚାକିରି–ତାପରେ....

ସ୍ମୃତିର କାରୁଣ୍ୟ ଭରା ଏ ବାଟର ବ୍ୟର୍ଥତା ଓ ନିରର୍ଥକ ନିଶବ୍ଦ ବେଦନା !

 

 

 

ଆଜି ଯେବେ ଛାଇ ଜମେ ସେପାରିର ଅତଡ଼ାରେ–ଏପାରିର ଧାନଗଛ କଇଁ ପାଖୁଡ଼ାରେ

ଆଲୁଅ ନରମ ହୁଏ ହଳଦି ପାଣିରେ ଗୋଳି ଚରାର କଣ୍ଟା ଓ ଘାସ ଶଙ୍ଖଚିଲ ଡେଣା

ଏହି ଛାଇ ଅନ୍ଧାରରୁ ସମୟର ସେପାଖରୁ ସେମାନେ ଆସିବେ କଣ ଫେରି ଏହି ଧାନ ମହକରେ

ପରିତ୍ୟକ୍ତ ଯେତେ ଆଶା କାମନାର ପଛେ ପଛେ

ଏହି ଭଲପାଇବା ଓ ଏ ଗାଆଁର ନିଶବ୍ଦ ଦେହକୁ ?

 

ନିଶବ୍ଦ ଏ ବେଦନାର ସ୍ତିମିତ ଏ ଆଚ୍ଛନ୍ନତା ........ସମୟର ସ୍ଥିଗିତ ମୁହୂର୍ତ୍ତ

ଅତୀତର ସ୍ମୃତି ସବୁ ସେମାନେ ଏ ଦିନାନ୍ତର ସୀମାର ସେପାଖେ

ଆଜି କଣ ଛିଡ଼ାହୋଇ ଏ ପାଖର ଏହିବାଲି, ସିଢ଼ୁଆର ଶୀର୍ଣ୍ଣ ଏହି ଦେହର ସୀମାରେ

ସେମାନେ ଶୁଣନ୍ତି କଣ ଜୀବନର ପ୍ରତିଧ୍ୱନି ?

 

ଏଠି ଯେତେ ହାରଜିତ୍‌ କଚେରି ଓ ଟାଉଟରି, ହସ ଲୁହ ଈର୍ଷା ଭୟ

ଏହି ଭଲପାଇବାର କ୍ରମିକ ଏ କ୍ଷୟ ଆଉ ମୃତ୍ୟୁର ଏ ନିଶବ୍ଦ ସଂଚାର ?

ଗଡ଼ଜାତ କଲିକତା ଟାଟା ଆଉ ସରକାରୀ ଚାକିରି... ତାପରେ ....

ଜୀବନର କ୍ଲାନ୍ତ ବାଟ ମାଇଲ୍‌ ମାଇଲ୍‌ କେତେ ଚଢ଼ାଣି ଉଠାଣି–

 

କୋଶ କୋଶ କେତେ ସ୍ନେହ କେତେ ରୋଷ ଅହଙ୍କାର କେତେ ଭୟ ଆଶା ଓ ବ୍ୟର୍ଥତା

ପାରିହୋଇ ସନ୍ଧ୍ୟାବେଳେ ସେମାନେ ଫେରିଲା ଦିନ

ମଶାଣିର ଏହି ନାଲି ପଳାଶ ଫୁଲରେ

 

 

ସେମାନେ ହଠାତ୍‌ କଣ ଦେଖି ନାଲି ପ୍ରଜାପତି ଅକସ୍ମାତ ଛିଡ଼ାହୋଇ କେତୋଟି ମୁହୂର୍ତ୍ତ

ଭାବିଥିଲେ ଫେରିବାକୁ ଏହି ଧାନ ମହକରେ ହଳଦି ବସନ୍ତ ଆଉ ସିଢ଼ୁଆର କୁହୁଡ଼ି ସହିତ ?

 

ଏହି ଭଲପାଇବାର ନିଃସଙ୍ଗ ବେଦନା ନଏଁ ପଉଷର ଧୂସର ଦେହରେ

ଆଜି ଆମ୍ବ ବଉଳରେ ପବନ ଯଦିବା ଛୁଏଁ ଦୂର ନଈ ଅତଡ଼ା ଉପରେ

ଝିଣ୍ଟିକା ଯଦିବା ଡାକେ ଆଉ କେଉଁ ଅଚିହ୍ନା ପକ୍ଷୀର

ନିଃସଙ୍ଗ ଡାକରେ ମିଶେ ପାଟି ଶୋକ ନ୍ୟାୟ ନିଶାପର

ଆଜି ଯେବେ ପଉଷର ନିସ୍ତବ୍‌ଧ ଦେହରେ ଯାଏ କ୍ଷୟ ହୋଇ ଗାଆଁର ଦେହ

ମୁଁ ଫେରି ପଛକୁ ଚାହେଁ

କେତେ ଖରା କାକର ଭିତରେ

କ୍ଷୟ ହୋଇ ଯାଇଥିବା କେତେ ଭଲପାଇବାର ହିସାବ ନିକାଶ କେତେ ସତ୍ତା କେତେ ନିଶବ୍ଦ ସମୟ ।

***

 

(ତିନି)

 

ଧାନ ସିଢ଼ି ନଈ ସିନା ଏଠି ନାହିଁ ....ଏଠି ଶୀର୍ଣ୍ଣ ସିଢ଼ୁ ଆର ସୁଅ

ଏଠି ଭୋର ପବନରେ ଝଡ଼ିଯାଏ ଜୀର୍ଣ୍ଣ ପତ୍ର କେତେ

ଧାନ ସିଢ଼ି ନଈପାଖେ କେଉଁ ଛାଇ ଗଛ ଆଢ଼ୁଆଳେ

ବିଦେଶୀ କବିର ଆତ୍ମା ଆଜି ପୁଣି ଫେରୁଥିବ ହୁଏତ ଏ ଧାନ ମହକରେ

ପରିତ୍ୟକ୍ତ କାମନାର ଦେହ ଖୋଜି ....ଏହି ଭଲପାଇବାର ଦେହ ।

 

ଏହି ଭଲପାଇବାର ଦେହ ଧରି ଏ ପୃଥିବୀ ହୁଏତ ବା ଏଡ଼େ ରୂପବତୀ

ହଳଦି ଓ ଅଳତାର ଦାଗ ଗୋଳି ଆକାଶରେ ଫାଲ୍‌ଗୁନର ଦିନ ଯେବେ ଫେରେ

ପଉଷର କୁହୁଡ଼ିରେ ଘୋଡ଼ିହୋଇ ଆମ୍ବତୋଟା ଚୁପ୍‌ ଚାପ୍‌ ନିଛାଟିଆ ଜାମୁକୋଳି ବଣ

ଦିପହର ଖରା ପୁଣି ଜାଳିଦିଏ ଜ୍ୟେଷ୍ଠମାସ ବିଲ, ବାଟ, ନିଛାଟିଆ ଚରା

ସେତେବେଳେ ମଣିଷର ରକ୍ତରେ ଜୀବନ୍ତ ହୁଏ ହଠାତ୍‌ ଅତୀତ ତାର

ପୁଞ୍ଜିଭୂତ କାମନାର ଯୁଗଯୁଗ ସ୍ମୃତି କେତେ ଏ ଗାଆଁର ପୁରୁଷ ପୁରୁଷ ।

 

ମୁଁ ତେଣୁ ପଛକୁ ଯେବେ ଫେରିଚାହେଁ ମୋ ବ୍ୟଥା ଓ କ୍ଲାନ୍ତିରେ

ମୋର ସବୁ କାମନାର ନୀରବର ପ୍ରେତାତ୍ମା ଯେବେ ପାଲଟେ ଏ ଧୂସର ପଉଷ

ହୁଏତ ଏ ପୃଥିବୀକୁ ଭଲପାଏ ଦେହ ମୋର ସ୍ମୃତିର ଏ ବେଦନା ଭିତରେ

ତଥାପି ମୋ ଚାରିପାଖେ ସମୟର ହାହାକାର ମୃତ୍ୟୁର ଏ ଚରମ ଶୂନ୍ୟତା ।

 

ଶୂନ୍ୟ ଏହି ବେଦନାର ବିଷର୍ଣ୍ଣ ଏ ଗୋଧୂଳିରେ, ଏ ପୃଥିବୀ ଏ ମ୍ଳାନ ଆକାଶ

ଆଉ ମୋର ସାମ୍ନାରେ ଏହିବାଟ ଦିପାଖର ଏହି ଧଳା କ୍ଷୀରକୋଳି ଫୁଲ

ସ୍ମୃତିର ବେଦନା ଅବା ଅତୀତର ଆତ୍ମାରେ ବା ରାତି ଆଉ ଆସନ୍ନ ମୃତ୍ୟୁରେ

ପାଏ ପୁଣି ଦେହ ଆକାଶ ଓ ଏ ପୃଥିବୀ

ଏହି ମୋର ଦେହ ତଳେ ଏହି ଝଡ଼ା ପତ୍ର ଆଉ

ଏହିବାଟ ଦିପାଖର କଣ୍ଟା ଆଉ କ୍ଷୀରକୋଳି ଫୁଲ ।

***

 

କେଉଁ ଘାସ ? କେଉଁ ବାଲିଚର ?

 

କେଉଁ ନଈ କେଉଁ ବଣ ? କେଉଁ ଦୂର ଦିଗନ୍ତର ଦେହ ?

କେଉଁ ନଈ ମୁହାଣର ଉଜାଣି ଜୁଆର ସୁଅ ? କେଉଁ ଘାସ ? କେଉଁ ବାଲିଚର ?

କେଉଁ ରାତି ପହରର ଉଜାଣି ନିଦର ଢେଉ ? କେଉଁ ତାରା ରାତିର କାକର ?

 

ଫେରିଆସେ ଫେରିଆସେ ମୋ ମୃତ୍ୟୁର ଭୟ ଡେଇଁ

କେଉଁ ଦୂର ଦିଗନ୍ତୁର ଖରା ଆଉ କଇଁ ଫୁଲ ?

ଧଳା ଉଲ୍‌ ଦେହ ଆଉ ପଳାଶ କଢ଼ର କ୍ଷତ

କେଉଁ ଫିକା ଓଠ ତଳେ, ସମୁଦ୍ରର ଢେଉ ଆଉ

ଚଂପାଫୁଲ ମହକରେ ବସନ୍ତର ବ୍ୟଥିତ ଆକାଶ !

 

ଏହି ଭଲପାଇବାରେ ମୃତ୍ୟୁ ଯଦି ପୁଣି ଆସେ

ତେବେ ଏହି ପୃଥିବୀର ବିଷର୍ଣ୍ଣ ଏ ସୀମାନ୍ତରେ ମୋ ଆଖିର ତାରା

କକ୍ଷଚ୍ୟୁତ ହେଲାବେଳେ ହୁଏତ ବା ଶେଷ ତାର କାକର ଟୋପାରେ

ଭିଜାଇ ନିଶବ୍‌ଦେ ଦେବ ଉଜାଣି ନିଦର ଢେଉ

ଧଳା ଉଲ୍‌ ଛାତି ଆଉ..........

 

 

 

 

 

କେଉଁ ନଈ ? କେଉଁ ଫୁଲ ?

କେଉଁ ନଈ ମୁହାଣରେ ଉଜାଣି ଲୁହର ଢେଉ ?

କେଉଁ ନଷ୍ଟ ଦିଗନ୍ତର ବସନ୍ତ ଓ ବ୍ୟଥିତ ଆକାଶ ?

***